ଜଳିଲା ମଣିପୁର; ସୈନ୍ୟ ଶିବିର ଉପରେ ଆକ୍ରମଣ ପରେ ଗୁଳି, ବାରୁଦ ଲୁଟ୍‌

add-all

ମଣିପୁର :ପୁଣି ଥରେ ଜଳି ଉଠିଛି ମଣିପୁର। ରାଜ୍ୟର ବିଷ୍ଣୁପୁର ସମେତ ବହୁ ଜାଗାରେ ଉତ୍ତ୍ୟକ୍ତ ଲୋକେ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଫୁଟିଛି ଗୁଳି । ଫଳରେ ପୁଣି ଥରେ ମଣିପୁର ଅଶାନ୍ତ ହେବା ସହ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୁରକ୍ଷା କର୍ମୀ ୭ ଅବୈଧ ବଙ୍କର ନଷ୍ଟ କରିଦେଇଥିବା ମଣିପୁର ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଅସମ୍ଭାଳ ଭିଡ ପ୍ରଥମେ ବିଷ୍ଣୁପୁର ଜିଲ୍ଲାର ଆଇଆରବି ୟୁନିଟ ଉପରେ ଅତର୍କିତ ଆକ୍ରମଣ କରି ଗୁଳି, ବାରୁଦ ସମେତ ବହୁ ମାରଣାସ୍ତ୍ର ଲୁଟି ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସୁରକ୍ଷା କର୍ମୀ ତାଙ୍କୁ ଘଉଡ଼ାଇ ଦେଇଥିଲେ।

ଏପରି ସ୍ଥିତିରେ ସଶସ୍ତ୍ର ବଳ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ବହୁ ସୁରକ୍ଷା କର୍ମୀ ଗୁରୁତର ହୋଇଥିଲେ। ସ୍ଥିତି କ୍ରମଶଃ ଅନିୟନ୍ତ୍ରିତ ହେବା ସହ ଶହ ଶହ ସଂଖ୍ୟାରେ ରୁଣ୍ଡ ହୋଇଥିବା ଲୋକେ ହତିଆର, ଗୋଳା ବାରୁଦ ଲୁଟି ନେଲେ ।

ଏହାପୂର୍ବରୁ ବିଷ୍ଣୁପୁରରେ ସୁରକ୍ଷା କର୍ମୀ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଥିଲା। ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ସୁରକ୍ଷା କର୍ମୀ ଖୋଲା ଗୁଳି ଚାଳନା କରିବା ସହ ଲୁହବୁହା ଗ୍ୟାସ୍‌ ସ୍ପ୍ରେ କରିଥିଲେ। ଏହାପରେ ମଣିପୁରର ଇମ୍ଫାଲ ଓ ପଶ୍ଚିମ ଇମ୍ଫାଲ ଜିଲ୍ଲାରେ କୋହଳ କରାଯାଇଥିବା କର୍ଫ୍ୟୁକୁ ପୁଣି ଥରେ କଡ଼ାକଡ଼ି କରାଯାଇଛି।

ସୂଚନାଯୋଗ୍ୟ, ବିଷ୍ଣୁପୁରରେ ଏକ ବଫର ଜୋନ୍‌ ରହିଛି। ମୈତି ସମ୍ପ୍ରଦାୟର କିଛି ମହିଳା ଉକ୍ତ ବଫରକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଆସାମ ରାଇଫଲ୍ସର ସୈନ୍ୟ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହାକୁ କେନ୍ଦ୍ର କରି ଉତ୍ତେଜନା ଆରମ୍ଭ ହୋଇଥିବା ବେଳେ ଲୋକମାନେ ପୁଲିସ୍‌ ଉପରକୁ ଟେକାମାଡ଼ କରିଥିଲେ। ସୁରକ୍ଷା କର୍ମୀ ପ୍ରଥମେ ଲଙ୍କା ଗୁଣ୍ଡ ସ୍ପ୍ରେ କରି ଭିଡକୁ ହଟାଇବାକୁ ଚେଷ୍ଟା କରିଥିବା ବେଳେ ତାହା ସମ୍ଭବ ହୋଇ ନ ଥିଲା। ଏହାପରେ ସୁରକ୍ଷା କର୍ମୀ ଫାଙ୍କା ଗୁଳି ଚାଳନା କରିଥିଲେ।

ad-week
Leave A Reply

Your email address will not be published.