ଅଭିନେତ୍ରୀ ଜୟାପ୍ରଦାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଓ ୫୦୦୦ ଟଙ୍କା ଜରିମାନା

add-all

ଚେନ୍ନାଇ: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଚେନ୍ନାଇର ରାଇପେଟାଠାରେ ତାଙ୍କ ମାଲିକାନାରେ ଥିବା ଏକ ସିନେମା ଥିଏଟରର କର୍ମଚାରୀଙ୍କ ଦ୍ୱାରା ଦାୟର ପିଟିସନ ମାମଲାରେ ତାଙ୍କୁ ୫,୦୦୦ ଟଙ୍କା ଜରିମାନା ମଧ୍ୟ କରାଯାଇଛି।
ଚେନ୍ନାଇର ରାମ କୁମାର ଓ ରାଜା ବାବୁ ଏହି ସିନେମା ହଲ୍ ଚଳାଉଛନ୍ତି। ଥିଏଟର କର୍ମଚାରୀଙ୍କ ଇଏସଆଇ ପୈଠ କରିବାରେ ମ୍ୟାନେଜମେଣ୍ଟ ବିଫଳ ହେବାରୁ ସମସ୍ୟା ଆରମ୍ଭ ହୋଇଥିଲା ଏବଂ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଅଭିନେତ୍ରୀ କର୍ମଚାରୀଙ୍କୁ ପୂରା ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହ ମାମଲା ଖାରଜ କରିବାକୁ କୋର୍ଟରେ ଆବେଦନ କରିଥିଲେ।
ତେବେ ଶ୍ରମ ସରକାରୀ ବୀମା ନିଗମର ଓକିଲ ତାଙ୍କ ଆବେଦନକୁ ବିରୋଧ କରିବାରୁ ଜୟାପ୍ରଦା ଓ ଏହି ମାମଲା ସହ ଜଡ଼ିତ ଅନ୍ୟ ୩ ଜଣଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ସେହିପରି ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି।
ଜୟାପ୍ରଦା ଦୁଇଥର ଲୋକସଭାରେ ସମାଜବାଦୀ ପାର୍ଟି ତରଫରୁ ରାମପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୦୪ ଓ ୨୦୦୯ରେ ସେ ରାମପୁର ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ପରେ ତାଙ୍କୁ ଏସପି ବହିଷ୍କାର କରିଥିଲା ଏବଂ ପରେ ୨୦୧୪ ନିର୍ବାଚନରେ ସେ ଆରଏଲଡି ଟିକେଟରେ ବିଜନୋରରୁ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ୨୦୧୯ରେ ଜୟାପ୍ରଦା ରାମପୁରରୁ ବିଜେପି ଟିକେଟରେ ଲଢିଥିଲେ ବି ପରାଜିତ ହୋଇଥିଲେ ।

ad-week
Leave A Reply

Your email address will not be published.