ଯୁକ୍ତ୨ ନାମଲେଖା ପାଇଁ ପୁଣିଥରେ ସୁଯୋଗ: ଆସନ୍ତାକାଲିଠୁ ଆବେଦନ

add-all

ଭୁବନେଶ୍ଵର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ପାଇଁ ଅଗଷ୍ଟ ୧୬ରୁ ପୁଣିଥରେ ଅନ୍‌ଲାଇନ୍‌ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ମୋଟ ୧ ଲକ୍ଷ ୩୪ ହଜାର ୧୬୬ ସିଟ ବଳକା ରହିଛି । ଛାତ୍ରଛାତ୍ରୀମାନେ ନାମ ଲେଖାଇବା ଲାଗି ଆସନ୍ତା ୧୬ ତାରିଖଠାରୁ ସାମ୍‌ସ ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ । ଅଗଷ୍ଟ ୨୮ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଆବେଦନ କରିହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ସେପ୍ଟେମ୍ୱର ୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଯେଉଁମାନେ ମେଧା ତାଲିକାରେ ସ୍ଥାନ ପାଇଥିବେ ସେମାନେ ୫ରୁ ୭ ତାରିଖ ମଧ୍ୟରେ ସଂପୃକ୍ତ କଲେଜମାନଙ୍କରେ ରିପୋର୍ଟିଂ କରିବା ସହ ନାମ ଲେଖାଇପାରିବେ । ସେହିପରି ୧୨ ତାରିଖରେ ସ୍ପଟ ନାମଲେଖା ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୩ ତାରିଖରେ ସ୍ପଟ ନାମଲେଖା ହେବ । ଏହାପରେ ଯଦି ସିଟ୍‌ ଖାଲି ପଡ଼େ ତେବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅପେକ୍ଷାରତ ତାଲିକାରେ ଥିବା ପ୍ରାର୍ଥୀଙ୍କ ପଞ୍ଜିକରଣ ୧୫ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ୩୦ ମଧ୍ୟରେ ହେବା ସହ ୪ଟା ୩୦ରେ ତାଲିକା ପ୍ରକାଶ କରାଯିବ।

ଆବେଦନ ପୂର୍ବରୁ ଛାତ୍ରଛାତ୍ରୀ ନିୟମାବଳୀକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଉତ୍ତୀର୍ଣ୍ଣ ହୋଇଥିବା କିମ୍ବା ଫେଜ୍‌-୧ ନାମଲେଖା ସମୟରେ ଆବେଦନ କରି କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇପାରି ନ ଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଆବେଦନ କରିପାରିବେ।

ad-week
Leave A Reply

Your email address will not be published.