
ସମ୍ବଲପୁର: ସମ୍ୱଲପୁର ଜିଲା ମହୁଲପାଲି ଥାନାର ସବ-ଇନ୍ସପେକ୍ଟର (ଏସଆଇ) ସୁଜିତ କୁମାର ମହନ୍ତ ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମହୁଲପାଲି ଥାନାରେ ଅଭିଯୋଗକାରୀଙ୍କ୍ ନାମରେ ଥିବା ଏକ ମିସଲେନିଅସ ମାମଲାର ରଫାଦଫା କରିବା ପାଇଁ ଅଭିଯୁକ୍ତ ଏସଆଇ ଜଣକ ଏହି ଲାଞ୍ଚ ଦାବି କରିଥିଲେ । ଭିଜିଲାନ୍ସ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଏସଆଇ ସୁଜିତ ମହାନ୍ତ, ଅଭିଯୋଗକାରୀଙ୍କୁ ଥାନା ବାହାରେ ଏକ ନିଛାଟିଆ ସ୍ଥାନକୁ ଲାଞ୍ଚ ଦେବା ପାଇଁ ଡକାଇଥିଲେ । ସେଠାରେ ଲାଞ୍ଚ ଟଙ୍କା ଗ୍ରହଣ କରିବା ମାତ୍ରେ ସେ ପୂର୍ବ ପ୍ରସ୍ତୁତ ଥିବା ଭିଜିଲାନ୍ସ ଦଳକୁ ଦେଖିବାକୁ ପାଇଥିଲେ । ଏଣୁ ଗିରଫଦାରୀରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ସେଠାରୁ ଦୌଡ଼ିବାକୁ ଲାଗିଥିଲେ । ଭିଜିଲାନ୍ସ ଦଳ ମଧ୍ୟ ତାଙ୍କୁ ଗୋଡ଼ାଇଥିଲା । ଶେଷରେ ଉପାୟ ଶୂନ୍ୟ ହୋଇ ଏସଆଇ ଜଣକ ଖସିଯିବା ପାଇଁ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ । କିନ୍ତୁ ଭିଜିଲାନ୍ସ ଦଳର ଜଣେ ସଦସ୍ୟ ମଧ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁ
କରିଥିଲେ । ଘଟଣାସ୍ଥଳରୁ ଭିଜିଲାନ୍ସ ଅଧିକାରୀ ମାନେ ଏସଆଇଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରିଛନ୍ତି । ଏହି ଭିଜିଲାନ୍ସ ଟ୍ରାପ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ଉଦ୍ଦେଶ୍ୟରେ ତାଙ୍କର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଚଢ଼ଉ ସମୟରେ ଥାନା ପରିସରରେ ଥିବା ତାଙ୍କ ବିଶ୍ରାମ କକ୍ଷରୁ ନଗଦ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ସମ୍ୱଲପୁର ଭିଜିଲାନ୍ସ ଥାନାରେ ମାମଲା ନଂ ୨୧/୨୦ ରୁଜୁ କରାଯାଇ ତଦନ୍ତ ଚାଲିଛି । ସୂଚନାଯୋଗ୍ୟ ଯେ, ଗିରଫ ଏସଆଇ ୨୦୨୧ ମସିହାରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୁଲିସ ସେବାରେ ଯୋଗ ଦେଇଥିଲେ ।
