
ହିଞ୍ଜିଳିକାଟୁ, ତା ୫/୧୦(): ବିଭିନ୍ନ ଦାବୀ ନେଇ ହିଞ୍ଜିଳିକାଟୁ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ୨୭ ଜଣ କର୍ମଚାରୀ ଦୀର୍ଘ ୨୧ ଦିନ ଧରି ମହାବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଗୁରୁବାର ସଂପୃକ୍ତ ମହାବିଦ୍ୟାଳୟର ଅଧ୍ୟାପକ, ପରିଚାଳନା କମିଟି ସଦସ୍ୟ ପ୍ରକାଶ ମିଶ୍ର ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ଧାରଣା ସ୍ଥଳରେ ପହଞ୍ଚି ଅନଶନରେ ବସିଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ସହ ଦରମା ବୃଦ୍ଧି ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ୧ ମାସ ମଧ୍ୟରେ ସେମାନଙ୍କ ଦାବି ପୂରଣ ନହେଲେ ନଭେମ୍ବର ୧୫ ତାରିଖ ଠାରୁ ପୁଣି କଲେଜ ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହେବେ ବୋଲି ଧାରଣାରତ ଅଣଅନୁଦାନ କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି। ପ୍ରକାଶ ଥାଉକି, ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଗତ ୨୦୦୦ ମସିହାରୁ ୨୭ ଜଣ ଅଣଶିକ୍ଷା କର୍ମଚାରୀ କାର୍ଯ୍ୟ କରି ଆସୁଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟର କାର୍ଯ୍ୟ ସମେତ ବିଭିନ୍ନ ସମୟରେ ନିର୍ବାଚନ ଓ ସାମାଜିକ କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି । ସଂପୃକ୍ତ କର୍ମଚାରୀ ମାନେ ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ପ୍ରଦତ୍ତ ସ୍ୱଳ୍ପ ବେତନରେ କାର୍ଯ୍ୟ ସମ୍ପାଦନା କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ଇତି ମଧ୍ୟରେ ମହାବିଦ୍ୟାଳୟରେ କାର୍ଯ୍ୟରତ ଜଗନ୍ନାଥ ପଣ୍ଡିତ ନାମକ ଜୈନିକ ୪ର୍ଥ ଶ୍ରେଣୀ କର୍ମଚାରୀ ଅନୁଦାନର ବଞ୍ଚିତ ହେବା ସହ ଆର୍ଥୀକ ଅଭାବରୁ ଉପଯୁକ୍ତ ଚିକିତ୍ସା ପାଇନପାରି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨୦୧୪ ମସିହା ଜିଆଇଓ ଅନୁଯାୟୀ ବାଦ୍ ପଡିଥିବା ସମସ୍ତ କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଏବଂ ଗ୍ରାଣ୍ଟ ଇନ୍ ପ୍ରଦାନ ଭଳି ୨ଦଫା ଦାବି ନେଇ ଏକ ସ୍ମାରକ ପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ମୁଖ୍ୟ ଶଶସନ ସଚିବ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ, ଆଞ୍ଚଳିକ ନିର୍ଦ୍ଦେଶକ, ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଭାରପ୍ରାପ୍ତ ଅଧିକାରୀ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ଅଧ୍ୟକ୍ଷାଙ୍କୁ ପ୍ରଦାନ କରିଥିଲେ।