ଅଳ୍ପକେ ବର୍ତ୍ତିଗଲା କଂଗ୍ରେସ ସରକାର! ମହୀଶୂର ଯିବା ଯୋଜନାରେ ଥିଲେ ୨୦ ବିଧାୟକ

youtube

Congress-3_V_jpg--442x260-4g

ନୂଆଦିଲ୍ଲୀ :କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ସରକାରରେ ସମ୍ଭାବ୍ୟ ବିଦ୍ରୋହ ଅଳ୍ପକେ ଟଳି ଯାଇଛି। ରାଜ୍ୟର ପୂର୍ତ୍ତ ବିଭାଗ ମନ୍ତ୍ରୀ ସତୀଶ ଜାରକିହୋଲି ସୋମବାର କଂଗ୍ରେସର ପ୍ରାୟ ୨୦ ଜଣ ବିଧାୟକଙ୍କୁ ସାଙ୍ଗ ଧରି ମହୀଶୂର ଯିବାକୁ ଯୋଜନା କରିଥିଲେ।
ଏଥିପାଇଁ ବସ୍‌ ମଧ୍ୟ ବୁକିଂ ହୋଇ ସାରିଥିଲା। ବିଧାୟକମାନେ ମହୀଶୂର ଯିବା ପାଇଁ ସତୀଶଙ୍କ ଘରେ ଏକାଠି ବି ହୋଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ଯୋଗୁ ବିଧାୟକମାନଙ୍କ ମହୀଶୂର ଗସ୍ତ ବାତିଲ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ସୋମବାର କିତ୍ତୁର ଓ କେନ୍ଦ୍ରୀୟ କର୍ଣ୍ଣାଟକାର ପ୍ରାୟ ୨୦ ଜଣ ବିଧାୟକ ସକାଳୁ ସକାଳୁ ମନ୍ତ୍ରୀ ସତୀଶଙ୍କ ଘରେ ପହଞ୍ଚିଥିଲେ। ସେମାନଙ୍କୁ ମହୀଶୂର ନେବା ପାଇଁ ବୁକ ହୋଇଥିବା ବସ୍‌ ମଧ୍ୟ ଠିକଣା ସମୟରେ ପହଞ୍ଚି ଯାଇଥିଲା। ବିଧାୟକମାନେ ଏକାଠି ମହୀଶୂର ଯିବାକୁ ବାହାରିଥିବା ବେଳେ ବିଦ୍ରୋହର ଗନ୍ଧ ବାରିଥିଲେ କଂଗ୍ରେସ ହାଇକମାଣ୍ଡ।
କାଳେ ଏମାନେ ବିଦ୍ରୋହ ସୃଷ୍ଟି କରିବେ ଓ କର୍ଣ୍ଣାଟକା କଂଗ୍ରେସ ସରକାର ଭାଙ୍ଗି ଯିବ, ସେହି ଆଶଙ୍କାରେ ଏଆଇସିସିର ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେୱାଲା ତୁରନ୍ତ ଏଥିରେ ହସ୍ତକ୍ଷେପ କରିଥିଲେ।
ସେ ମନ୍ତ୍ରୀ ସତୀଶଙ୍କ ସହ କଥା ହୋଇଥିଲେ ଓ ଗସ୍ତ ବାତିଲ କରିବାକୁ କହିଥିଲେ। ସୂର୍ଯ୍ୟେୱାଲା ତାଙ୍କୁ କହିଥିଲେ ଯେ “ଏତେ ସଂଖ୍ୟକ ବିଧାୟକ ଏକାଠି ବସ୍‌ରେ ଯାତ୍ରା କଲେ ଗୋଟିଏ ଖରାପ ବାର୍ତ୍ତା ଯିବ। ଏଥିସହ ସରକାରଙ୍କୁ ଟାର୍ଗେଟ କରିବାକୁ ବିରୋଧୀଙ୍କୁ ମଉକା ମିଳିଯିବ।” ସତୀଶ ମଧ୍ୟ ତାଙ୍କ କଥାକୁ ବୁଝିଥିଲେ ଓ ଗସ୍ତ ବାତିଲ କରିଥିଲେ।
ପରବର୍ତ୍ତୀ ଅବସ୍ଥାରେ ସତୀଶ ସାମ୍ବାଦିକମାନଙ୍କୁ ଘଟଣା ସମ୍ପର୍କରେ କହିଛନ୍ତି ଯେ “କିଛି ବିଧାୟକ ବୁଲିବା ପାଇଁ ଯିବାକୁ ଚାହୁଁଥିଲେ। ତେଣୁ ତାଙ୍କୁ ମହୀଶୂର ନେବାକୁ ଯୋଜନା ହୋଇଥିଲା। ମହୀଶୂରରେ ଥିବା ଆମର କିଛି ବିଧାୟକ ମଧ୍ୟ ଏଥିପାଇଁ ନିମନ୍ତ୍ରଣ କରିଥିଲେ। ଏହି ଘଟଣାକୁ ରାଜନୀତିକ ରଙ୍ଗ ଦେବାର ଆବଶ୍ୟକ ନାହିଁ।”

କ’ଣ ନିଜର ଶକ୍ତି ପ୍ରଦର୍ଶନ ପାଇଁ ସତୀଶ ୨୦ ଜଣ ବିଧାୟକଙ୍କୁ ଏକାଠି କରିଥିଲେ ବୋଲି ପ୍ରଶ୍ନକୁ ସେ ଖଣ୍ଡନ କରିଛନ୍ତି। ସତୀଶ କହିଛନ୍ତି, “ମୋତେ ଗୋଟିଏ ପ୍ରମୁଖ ମନ୍ତ୍ରୀ ପଦ ମିଳିଛି।

ତେଣୁ ମୁଁ କାହିଁକି ଅସନ୍ତୁଷ୍ଟ ରହିବି? ଆମେ ଖୁବଶୀଘ୍ର ଆଉ ଗୋଟିଏ ଟ୍ରିପ ପାଇଁ ଯୋଜନା କରିବୁ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଦଳର ସଭାପତି ଡିକେ ଶିବକୁମାରଙ୍କ ଅନୁମତି ମଧ୍ୟ ଅଣାଯିବ।”

ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି ଯେ ବେଲାଗାଭି ଓ ଚିକୋଡୀ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଚୟନକୁ ନେଇ ସତୀଶ ଅସନ୍ତୁଷ୍ଟ ରହିଛନ୍ତି। ତେଣୁ ସେ ୨୦ ଜଣ ବିଧାୟକଙ୍କୁ ଏକାଠି କରି ନିଜର ଶକ୍ତିପ୍ରଦର୍ଶନ କରିବାକୁ ଚାହୁଁଥିଲେ। ବେଲାଗାଭି ଆସନରୁ ସତୀଶ ତାଙ୍କ ପୁଅ କିମ୍ବା ଝିଅଙ୍କୁ କଂଗ୍ରେସ ପ୍ରାର୍ଥୀ କରୁ ବୋଲି ଚାହୁଁଛନ୍ତି।

Leave A Reply

Your email address will not be published.