ନିଜ ମୃତ୍ୟୁର ୨୦ ବର୍ଷ ପରେ ଧରା ପଡ଼ିଲେ ହତ୍ୟା ଅଭିଯୁକ୍ତ

add-all

rw

ମୃତ୍ୟୁର ୨୦ ବର୍ଷ ପରେ ଧରା ପଡ଼ିଲେ ହତ୍ୟା ଅଭିଯୁକ୍ତ। ଫିଲ୍ମ ଷ୍ଟାଇଲ୍‌ରେ ନିଜର ନକଲି ମୃତ୍ୟୁକୁ ଦେଇଥିଲେ ରୂପ। ପୁଲିସକୁ ଚମ୍‌କା ଦେଇ ହୋଇଯାଇଥିଲେ ଫେରାରା। ନାଁ ବଦଳାଇ ନୂଆ ସ୍ଥାନରେ ରହୁଥିଲେ। ଏବେ କିନ୍ତୁ ୨୦ ବର୍ଷ ପରେ ପୁଲିସ ତାଙ୍କୁ ଗିରଫ କରିଛି। ଉକ୍ତ ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ପୂର୍ବତନ ନୌସେନା କର୍ମଚାରୀ। ଗିରଫ ହୋଇଥିବା ପୂର୍ବତନ ନୌସେନା କର୍ମଚାରୀ ହେଉଛନ୍ତି ବଲେଶ କୁମାର। ତାଙ୍କ ବୟସ ୬୦ ବର୍ଷ।

୨୦୦୪ରେ ହୋଇଥିବା ଏକ ହତ୍ୟାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବଲେଶ କୁମାର। ସେ ନିଜ ନାଁ ବଦଳାଇ ଅମନ ସିଂହ ରଖିଥିଲେ। ଆଉ ପ୍ରପର୍ଟି ଡିଲର୍‌ ଭାବେ କାମ କରୁଥିଲେ। ଏବେ ପୁଲିସ ତାଙ୍କୁ ଦିଲ୍ଲୀ ନଜଫଗଡରୁ ଗିରଫ କରିଛି।

ଧରାପଡିଥିବା ଅଭିଯୁକ୍ତ ବଲେଶ କୁମାର ମୁଖ୍ୟ ରୂପେ ହରିୟାଣାର ବାସିନ୍ଦା। ସେ ଅଷ୍ଟମ ଯାଏ ପାଠ ପଢ଼ି ୧୯୮୧ରେ ନୌସେନାରେ ସାମିଲ ହୋଇଥିଲେ। ୧୯୯୬ରେ ନୌସେନାରୁ ସେ ଅବସର ନେଇଥିଲେ। ଏହାପରେ ଦିଲ୍ଲୀର ଉତ୍ତମ ନଗରରେ ସେ ନିଜର ଏକ ଟ୍ରାଭେଲ ବିଜନେସ ଆରମ୍ଭ କରିଥିଲେ।

ପୁଲିସ କହିବା ମୁତାବକ, ୨୦୦୪ରେ ବଲେଶ ନିଜ ଭାଇ ଓ ରାଜେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ଏକାଠି ମିଶି ମଦ ପିଇଥିଲେ। ରାଜେଶର ପତ୍ନୀଙ୍କ ସହ ବଲେଶର ଅନୈତିକ ସମ୍ପର୍କ ଥିଲା। ଏହା ଜାଣିବାପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ବଲେଶ ନିଜ ଭାଇ ସହ ମିଶି ରାଜେଶର ଗଳା ଚିପି ହତ୍ୟା କରିଥିଲେ। ହତ୍ୟାପରେ ବିହାରର ଦୁଇ ଜଣ ଲୋକଙ୍କ ସହ ମିଶି ରାଜସ୍ଥାନ ଫେରାର ହୋଇଯାଇଥିଲେ ବଲେଶ କୁମାର।

ଏହାପରେ ପୁଲିସ ଠାରୁ ବଞ୍ଚିବା ପାଇଁ ଯୋଧପୁରରେ ସେ ରଚିଥିଲେ ନିଜ ନକଲି ମୃତ୍ୟୁର ଷଡଯନ୍ତ୍ର। ଏକ ଟ୍ରକ୍‌ ଭିତରେ ଦୁଇ ଜଣ ଶ୍ରମିକ ଥିବା ବେଳେ ବଲେଶ ସେଥିରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ନିଜର ପରିଚୟ ପତ୍ର ଓ କିଛି ଡକ୍ୟୁମେଣ୍ଟକୁ ସେ ଜଳି ଯାଇଥିବା ଟ୍ରକ୍‌ ଭିତରେ ଛାଡି ଆସିଥିଲେ। ଟ୍ରକ୍‌ ଭିତରୁ ମିଳିଥିବା ଦୁଇଟି ପୋଡି ଯାଇଥିବା ମୃତଦେହ ଓ ଡକ୍ୟୁମେଣ୍ଟ ମିଳିବା ପରେ ପୁଲିସ ବଲେଶ କୁମାରଙ୍କୁ ମୃତ ଘୋଷିତ କରିଥିଲା। ନିଜ ନକଲି ମୃତ୍ୟୁର ନାଟକ ରଚି ବଲେଶ କୁମାର ଦୀର୍ଘ ଦିନ ଧରି ଅନ୍ୟ ସ୍ଥାନରେ ରହୁଥିଲେ। ଶେଷରେ ଏବେ ସେ ପୁଲିସ ପଞ୍ଝାରେ ପଡିଛନ୍ତି। ଗିରଫ ପରେ ୨୦ ବର୍ଷ ତଳର ହତ୍ୟା ଓ ଟ୍ରକ୍‌ରେ ନିଆଁ ଲାଗିଥିବା ମାମଲାକୁ ପୁଣି ଥରେ ରି-ଓପନ୍‌ କରି ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୁଲିସ।

ad-week
Leave A Reply

Your email address will not be published.