ଚିକିଟୀ – ଚିକିଟୀ ଏନ ଏ ସି ଅନ୍ତର୍ଗତ ମାଷ୍ଟର କଲୋନୀ ସ୍ଥିତ ଧର୍ମପରାୟଣ ମହିଳା ବାସନ୍ତୀ ବେଜ (୬୫) ଙ୍କ ଗୁରୁବାର ସନ୍ଧ୍ୟା ସମୟରେ ପରଲୋକ ଘଟିଛି। ଅବସରପ୍ରାପ୍ତ ସ୍କୁଲ ଏସ ଆଇ ରାଜେନ୍ଦ୍ର କୁମାର ବେଜ ଙ୍କ ଧର୍ମପତ୍ନୀ ହେଉଛନ୍ତି ବାସନ୍ତୀ। ସେ ଜଣେ ଧର୍ମପରାୟଣ ପରୋପକାରୀ ମିଷ୍ଟଭାଷୀ ମହିଳା ଥିଲେ। ଗତ କିଛି ଦିନ ଧରି ସେ ଅସୁସ୍ଥ ରହିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ତାଙ୍କରି ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ବେଳକୁ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ରାଜେନ୍ଦ୍ର, ପୁଅ ଅବନୀ ବୋହୁ ଅହଲ୍ୟା, ନାତୁଣୀ ଚିନ୍ମୟୀ ଙ୍କ ସହିତ ଝିଆରୀ, ପୁତୁରା ସମେତ ବହୁ ସମ୍ପର୍କୀୟ ଉପସ୍ଥିତ ରହିଥିଲେ। ପବିତ୍ର ବାହୁଦା ନଦୀ ରେ ତାଙ୍କ ଶବ ସତ୍କାର କରାଯାଇଥିଲା। ପୁଅ ଅବନୀ ମୁଖାଗ୍ନି ଦେଇଥିବା ବେଳେ ଶୋକ ସନ୍ତପ୍ତ ପରିବାରକୁ ବିଭିନ୍ନ ମହଲ ରୁ ସମବେଦନା ଜଣାଇବା ସହିତ ଶୋକ ପ୍ରକାଶ କରାଯାଇଛି।
