କନ୍ଧମାଳର ଦୁଇଟି ନୂଆ ପର୍ଯ୍ୟଟନସ୍ଥଳର ସନ୍ଧାନ…

add-all

ଫୁଲବାଣୀ : ଖଜୁରିପଡା ଠାରୁ ଭୁବନେଶ୍ୱର ଅଭିମୁଖେ ୪ ରୁ ୫ କିଲୋମିଟର ପରେ ବାମ ପାର୍ଶ୍ଵରେ ଏକ ଛୋଟିଆ ପୋଖରୀ ପଡେ । ସେହି ପୋଖରୀର ଦକ୍ଷିଣ କଡ଼ରେ ଏକ ପାଦଚଲା ରାସ୍ତା ଯାହା ଗାଈ, ବଳଦ ଏବଂ ଛେଳି, ମେଣ୍ଢାଙ୍କ ଦ୍ଵାରା ସୃଷ୍ଟି ହେଇ ଲମ୍ବି ଯାଇଛି ପାଖ ଜଙ୍ଗଲ ଆଡ଼କୁ। ସେହି ରାସ୍ତାରେ ପ୍ରାୟ ଏକ କିଲୋମିଟର ଜଙ୍ଗଲ ଭିତରକୁ ଗଲେ ପଡେ ଏକ ଛୋଟ ଜଳପ୍ରପାତ । ସେହି ଜଳପ୍ରପାତର ଧାରେଧାରେ ପ୍ରାୟ ଶହେ ମିଟର ତଳକୁ ଖସିଲେ ପଡ଼ିବ ଏକ ବଡ଼ ଜଳପ୍ରପାତ ଯାହାକୁ ସ୍ଥାନୀୟ ଲୋକେ ଡଙ୍ଗାଧର ବା ଡଙ୍ଗାଦର୍ ବୋଲି କହନ୍ତି । ସ୍ଥାନଟି ଖୁବ୍ ସୁନ୍ଦର ଓ ମନୋରମ । ଶାନ୍ତ ଓ ଶୀତଳ ପରିବେଶ ମଧ୍ୟରେ ଅବସ୍ଥିତ ଜଳପ୍ରପାତଟି ବର୍ତ୍ତମାନ ସୁଦ୍ଧା ଲୋକ ଲୋଚନକୁ ଆସି ପାରିନାହିଁ। ପ୍ରଶାସନ ଉକ୍ତ ସ୍ଥାନକୁ ଯଦି ରାସ୍ତାଟିଏ ନିର୍ମାଣ କରିବା ବ୍ୟବସ୍ଥା କରନ୍ତେ ତେବେ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳି ହେଇ ପାରନ୍ତା । ସ୍ଥାନୀୟ ଏକ ଛାତ୍ର କରୁଣାକର ମଲ୍ଲିକ ଯିଏ ପୋଖରୀ କୂଳରେ ଗାଈ-ବଳଦ ଚରେଇବା ପାଳି କାର୍ଯ୍ୟ କରୁଥିଲା ସେ ସହଯୋଗ କରିବାରୁ କିଛି ପର୍ଯ୍ୟଟକ ସେଠି ପହଞ୍ଚି ପାରିଥିଲେ |
ମୁଖ୍ୟରାସ୍ତାର ଡାହାଣ ପାର୍ଶ୍ଵରେ ଏକ ବିଚିତ୍ର ପାହାଡ ରହିଛି ଯାହାକୁ ସ୍ଥାନୀୟ ଲୋକେ କଟାପଥର ପାହାଡ ବୋଲି କହନ୍ତି କାରଣ ଉକ୍ତ ପାହାଡ଼ର ସମସ୍ତ ପଥର ପ୍ରକୃତି ଦ୍ଵାରା ସଠିକ୍ ମାପର ବ୍ୟବଧାନରେ କଟା ଯାଇଛି। ଯେଉଁ ପଥର କାଟି ହେଇନି ତାହା ଭବିଷ୍ୟତରେ କାଟି ହେବାପାଇଁ ଚିହ୍ନିତ ହେଇ ରହିଛି। ଏହା ମଧ୍ୟ ଏକ ସୁନ୍ଦର ପରିବେଶ ମଧ୍ୟରେ ଅବସ୍ଥିତ। ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଉପଭୋଗ୍ୟ ସ୍ଥାନ । ଗବେଷକ ଡଃ ଚିତ୍ତରଞ୍ଜନ ମିଶ୍ର ଓ ଡଃ ତ୍ରୈଲୋକ୍ୟ ନାଥ ସେନାପତି ଏହାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି ସବୁ ସ୍ଥାନକୁ ଯାଇ ଫଟୋ ଉତ୍ତୋଳନ କରି ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିଛନ୍ତି।

ad-week
Leave A Reply

Your email address will not be published.