
ମାଲକାନଗିରି //କାଲିମେଳା,ତା ୦୮/୧୧ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବାର ଜଣାପଡ଼ିଛି। ନିଜ ଗ୍ରାମବାସୀ ଏହି ହତ୍ୟାକାଣ୍ଡ ଘଟାଇଥିବାବେଳେ ପୁଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଥିବାର ସୂଚନା ମିଳିଛି। ଘଟଣାଟି ଘଟିଛି ମାଲକନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଚିତ୍ରାଙ୍ଗପାଲୀ ପଂଚାୟତ ଅନ୍ତର୍ଗତ ମୁଦାଖାଲ ଗ୍ରାମରେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଦାଖାଲ ଗ୍ରାମର ଲଛା ସୋଡ଼ିଙ୍କ ପୁଅ ଭୀମା ସୋଡ଼ି(୩୦) ଆନ୍ଧ୍ରରେ କାମ କରି କିଛି ଦିନ ତଳେ ଘରକୁ ଫେରିଥିଲା। ଗତ ୬ ତାରିଖ ଦିନ ଗ୍ରାମବାସୀମାନଙ୍କ ସହିତ ଗାଁ ଠାରୁ ମାତ୍ର ଏକ କିମି ଦୂର ଏକ ଲାଡ଼ି ବା କୁଡ଼ିଆ ନିକଟରେ ଭୋଜିଭାତର ଆସର ଜମିଥିଲା। ଏଥିରେ ଗ୍ରାମବାସୀମାନଙ୍କ ସହିତ ଭୀମା ସୋଡ଼ି, ଲେକା ପଡ଼ିଆମୀ ଓ ମୁକା ପଡ଼ିଆମୀ ସାମିଲ ହୋଇଥିଲେ । ସମସ୍ତେ ନିଜ ନିଜ ଘରକୁ ଫେରି ଆସିଥିବାବେଳେ ଏହି ୩ଜଣ ସଂଧ୍ୟା ପର୍ଯ୍ୟନ୍ତ ସେହି ଲାଡ଼ି ନିକଟରେ ରହି ମଦ୍ୟପାନ କରିଥିଲେ । ଏହାପରେ ୩ଜଣ ଯାକ ସଂଧ୍ୟାବେଳେ ଘରକୁ ଫେରିଥିଲେ । ଘରକୁ ଫେରିବା ବାଟରେ ଜମିବାଡ଼ିକୁ କେନ୍ଦ୍ର କରି ୩ଜଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ଲେକା ଓ ମୁକା ଭୀମାକୁ ପଥରରେ ଛେଚି ହତ୍ୟା କରିଥିଲେ । ହତ୍ୟା କରିବାପରେ ଘଟଣାକୁ ଲୁଚାଇବାକୁ ଯାଇ ଦୁହେଁ ଏକ ଜରିରେ ଭୀମାର ଶବକୁ ଘୋଡ଼ାଇ ନିକଟସ୍ଥ ନାଳରେ ପକାଇ ଦେଇ ଘରକୁ ଚାଲିଯାଇଥିଲେ । ଘର ଲୋକ ଭୀମାକୁ ଖୋଜାଖୋଜି କରିଥିଲେ ମଧ୍ୟ ଭୀମାର ଖୋଜଖବର ମିଳିନଥିଲା । ଏହାପରେ ଆଜିି କିଛି ଲୋକ ମୁଦାଖାଲ ଗ୍ରାମଠାରୁ ୮କିମି ଦୂର ସଂଗେଲ ଓ ଉସକାପାଲୀ ଗ୍ରାମ ନିକଟରେ ଥିବା ନାଳରେ ଏକ ଜରି ବସ୍ତାରେ ଏକ ଶବ ଭାସୁଥିବାର ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଁଚି ଆଜି ସକାଳେ ଶବକୁ ଜବତ କରିବା ସହିତ ଘଟଣାସ୍ଥଳରେ ବ୍ୟବଛେଦ କରିଥିଲା । ଏହାପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଲେକା ପଡ଼ିଆମୀ ଓ ମୁକା ପଡ଼ିଆମୀକୁ ପୁଲିସ ଗିରଫ କରିଥିବାବେଳେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି । ଉଭୟ ଅଭିଯୁକ୍ତ ସଂପର୍କରେ ଦାଦା ପୁତୁରା ହେବେ ବୋଲି ସୂଚନା ମିଳିଛି । ଏ ସଂପର୍କରେ କାଲିମେଳା ଥାନାରେ ଏକ ହତ୍ୟାମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି ।