ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ ତମ ଜୟନ୍ତୀ ମଣ୍ଡଳ କାରାଗାର ବ୍ରହ୍ମପୁର ଠାରେ ପାଳିତ…

add-all


ବ୍ରହ୍ମପୁର :ତା.୨୨.୧୧.୨୩ ଇଂରେଜ ଶାସନ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ବଣ ପାହାଡ ଘେରା ଅବିଭକ୍ତ କୋରାପୁଟରୁ ସ୍ବାଧୀନତା ସଂଗ୍ରାମର ତୂରୀନାଦ କରିଥିବା ମହାନ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ ତମ ଜନ୍ମ ଜୟନ୍ତୀ ଦିବସ ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହାନ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର ବିନୋଦ କୁମାର ବେହେରା ମୁଖ୍ୟ ଅତିଥି ରୂପେ, ବ୍ରହ୍ମପୁର ମଣ୍ଡଳ କାରାଗାର କାରାପାଳ (ଜେଲର) ସତ୍ୟ ନାରାୟଣ ବେହେରା, ମହାନ ସଂଘର ସଭାପତି ସୁଶାନ୍ତ କୁମାର ସାବତ ଅନ୍ୟତମ ଅତିଥି ରୂପେ ଯୋଗଦାନ କରି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ସର୍ବ ପ୍ରଥମେ ମଣ୍ଡଳ କାରାଗାର ସମ୍ମୁଖ ଯେଉଁଠି ବୀର ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା ସେହିଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଜେଲ ପରିସର ମଧ୍ୟରେ ରହିଥିବା ଶହୀଦ ଙ୍କ ସ୍ମୃତି ମନ୍ଦିରରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ସ୍ମୃତି ମନ୍ଦିର ସମୁଖରେ ସମସ୍ତ ଅନ୍ତେବାସୀ ମାନଙ୍କ ଗହଣରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନା ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଅତିଥିଗଣ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରି ଇଂରେଜ ଶାସନ ବିରୁଦ୍ଧରେ କିଭଳି ଲଢେଇ କରିଥିଲେ, ଗାନ୍ଧିଜୀଙ୍କ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇ କିଭଳି ମିଥ୍ୟା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇଥିଲେ ତାହା ଉପସ୍ଥାପନ କରି ସ୍ମୃତିଚାରଣ କରିଥିଲେ । ଅନ୍ତେବାସୀଗଣ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନ କରି ସ୍ବାଧୀନତା ସଂଗ୍ରାମୀଙ୍କ ଜୟଗାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହରର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ଯକ୍ତି ବିଶେଷ ଓ ଅନେକ ସାମ୍ବାଦିକଗଣ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.