
ମାଲକାନଗିରି, ୨୨.୧୧.୨୩: ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ବଣ ପାହାଡ ଘେରା ଅଭିଭକ୍ତ କୋରାପୁଟରୁ ସ୍ଵାଧୀନତା ସଂଗ୍ରାମ ର ତୁରୀବାଦ କରିଥିବା ମହାନ୍ ଦେଶଭକ୍ତ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତୀ ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହାନ୍ ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତୀରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ
ମୁଖ୍ୟ ଅତିଥି ରୂପେ , ଜିଲ୍ଲା ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ ଅନ୍ୟତମ ଅତିଥି ରୂପେ ଯୋଗଦାନ କରି ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପ୍ରତିମୂର୍ତ୍ତି ସମ୍ମୁଖରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ପରିଚାଳନା ଓ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଗଣ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରି ଇଂରେଜ ଶାସନ ବିରୋଧରେ କିଭଳି ଲଢେଇ କରିଥିଲେ l ଗାନ୍ଧିଜୀ ଙ୍କ ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହୋଇ କିଭଳି ମିଥ୍ୟା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇଥିଲେ ତାହା ଉପସ୍ଥାପନ କରି ସ୍ମୃତି ଚାରଣ କରିଥିଲେ l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସସସ୍ତ ଛାତ୍ରଛାତ୍ରୀମାନଙ୍କୁ ଲକ୍ଷ୍ମଣ ନାୟକଙ୍କ ଆଦର୍ଶ ରେ ଅନୁପ୍ରାଣୀତ ହୋଇ ଯେକୌଣସି କାର୍ଯ୍ୟକୁ ଆନ୍ତରିକତାର ସହ ସମୟ ସୀମା ମଧ୍ୟରେ ସମ୍ପାଦନ କଲେ ସମାଜରେ ପରିବର୍ତ୍ତନ ସମ୍ଭବ ହୋଇପାରିବ ବୋଲି ଅନୁପ୍ରାଣୀତ କରିଥିଲେ। ଏହି ଅବସରରେ ପୁରୁଣା ମେଡିକାଲ ଛକଠାରୁ ୪୨ ନମ୍ବର ରାସ୍ତାକୁ ଶହୀଦ ଲକ୍ଷ୍ମଣ ନାୟକ ମାର୍ଗ ନାମରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ, ପ୍ରକାଶ ପଟ୍ଟନାୟକ, ହରେକୃଷ୍ଣ କୀର୍ତ୍ତନିଆ, ରଞ୍ଜନ ମହାନ୍ତି, ରତ୍ନାକର ଦାସ ଓ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନେ ସଫେଇ ଅଭିଯାନ କାର୍ଯ୍ୟକ୍ରମ କରିଥିଲେ। ଏହାକୁ ଜିଲ୍ଲା ନିୟୋଜନ ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ।