ଦୁର୍ଦ୍ଦଶା ବଢୁଛି : କୂଳବେଉଷା ଛାଡୁଛନ୍ତି ଚିତ୍ରକାର ପରିବାର…

add-all

ଧରାକୋଟ : ଧରାକୋଟଗଡର ଚିତ୍ରକାର ପରିବାର ବର୍ତ୍ତମାନ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି । ଏପଟେ ପେଟ ପୁରୁନି ସେପଟେ କୂଳ ବେଉଶାକୁ ଛାଡ଼ି ହେଉନି । ରାଜା ରଜୁଡା ଅମଳରୁ ପୁରୀ କୋଳି ସହିରୁ ଧରାକୋଟ ରାଜା ସେମାନଙ୍କୁ ଆଣି ଏଠାରେ ସ୍ଥାୟୀ ଭାବରେ ରଖିଥିଲେ । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଠାକୁର ମାନଙ୍କ ଚିତ୍ର ଆଙ୍କିବା ସହ ବିଭିନ୍ନ ପର୍ବ ପର୍ବାଣୀରେ ଠାକୁର ମୂର୍ତ୍ତି ବିଶେଷ କରି ମାଟିରେ କଣ୍ଢେଇ ସବୁ ତିଆରି କରି ହାଟ ବଜାର ଅଞ୍ଚଳ ରେ ଵିକ୍ରି କରି ବେଶ ଦୁଇପାଇସା ରୋଜଗାର କରୁଥିଲେ ସେମାନେ । ହେଲେ ବର୍ତ୍ତମାନ ପ୍ଲାଷ୍ଟିକ ଓ ରବର ଖେଳନା ଓ ମୂର୍ତ୍ତି ସବୁ ବଜାରରେ ବିକ୍ରି ଯଥେଷ୍ଟ ପରିମାଣରେ ହେଉଥିବାରୁ କୂଳ ବେଉଶା ଏବେ ସଂକଟରେ ପଡ଼ିଛି । ହାତ ତିଆରି ମୂର୍ତ୍ତି,କଣ୍ଢେଇ ଆଦିର ଆଦର କମୁଥିବା ପ୍ରକାଶ କରିଛନ୍ତି ଚିତ୍ରକର ରତ୍ନାକର ମହାପାତ୍ର ଓ ପ୍ରଫୁଲ୍ଲ ମହାପାତ୍ର । ପରିବର୍ତ୍ତିତ ପରିସ୍ଥିତି ସହ ନିଜକୁ ଖାପଖୁଆଇବା ପାଇଁ ସଂଗ୍ରାମ କରୁଛନ୍ତି। ନିମ,ଶାଗୁଆନ ,ଗମ୍ଭାରୀ,ଆମ୍ବ,ପଣସ କାଠରେ ବିଭିନ୍ନ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରୁଥିବା ବେଳେ ସିମେଣ୍ଟ ଓ ପଥର ମୂର୍ତ୍ତି ମଧ୍ୟ ନିର୍ମାଣ କରୁଛନ୍ତି । ଦିନକୁ ଦିନ କଟକଣା ବଢୁଥିବା ଯୋଗୁଁ କାଠର ମୂଲ୍ୟ ବୃଦ୍ଧି ଘଟିଛି। ଅନ୍ୟ ପକ୍ଷରେ ସୁଦୂର ରାଇରଙ୍ଗ ପୁରରୁ କଳା ମୁଗୁନି,ଧଳା ମୁଗୁନି ଓ ମାଙ୍କଡଶା ପଥର ଆସୁଥିବା ଯୋଗୁଁ ଖର୍ଚ୍ଚ ଅଧିକ ହେଉଛି । ଏଣୁ ମୂର୍ତ୍ତି ନିର୍ମାଣ ପାଇଁ ଲୋକଙ୍କ ଆଗ୍ରହ କମୁଥିବା ଚିତ୍ରକର ମାନେ ପ୍ରକାଶ କରିଛନ୍ତି। ଏହାକୁ ବାଦ ଦେଲେ ବର୍ତ୍ତମାନ କୂଳ ବେଉଶାରୁ ମୁହଁ ଫେରାଇ ସେମାନେ ରାଜମିସ୍ତ୍ରୀ ଓ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିଜକୁ ଜଡ଼ିତ କରିଥିବା କ୍ଷୋଭର ସହ କହିଛନ୍ତି । ଏଣୁ ସରକାର ରିହାତି ମୂଲ୍ୟରେ କାଠ,ପଥର,ରଙ୍ଗ , ତୂଳୀ ଯୋଗାଇବା ସହିତ ବଜାର ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ad-week
Leave A Reply

Your email address will not be published.