ତେଲଙ୍ଗାନାର ଡିଏନ୍‌ଏ ବିହାର ଡିଏନ୍‌ଏଠାରୁ ଭଲ : ରେବନ୍ଥ ରେଡ୍ଡୀ

add-all

IMAGE_1701953828

ହାଇଦ୍ରାବାଦ : ରେବନ୍ଥ ରେଡ୍ଡୀ ଆଜି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କର ଏକ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ସେଥିପାଇଁ ତାଙ୍କୁ ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଛି ବିଜେପି। ରେବନ୍ଥ ରେଡ୍ଡୀଙ୍କ ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରୁ ବୋଲି ବିଜେପି ଦାବି କରିଛି।
ନିକଟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କଲା ବେଳେ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ କହିଥିଲେ, ମୋ ଡିଏନ୍‌ଏ ହେଉଛି ତେଲଙ୍ଗାନା। କେ. ଚନ୍ଦ୍ରଶେଖର ରାଓ (ତେଲଙ୍ଗାନାର ପ୍ରଥମ ମୁଖ୍ୟମନ୍ତ୍ରୀ)ଙ୍କ ଡିଏନ୍‌ଏ ହେଉଛି ବିହାର। ସେ ବିହାରର ଲୋକ। ତାଙ୍କ ଜାତି ହେଉଛି କୁର୍ମି। ସେ ବିହାରରୁ ଆସି ବିଜୟନଗରମରେ ରହୁଥିଲେ। ପରେ ତେଲଙ୍ଗାନାକୁ ଆସିଥିଲେ। ତେଲଙ୍ଗାନା ଡିଏନ୍‌ଏନ୍ ବିହାର ଡିଏନ୍‌ଏଠାରୁ ଭଲ।
ରେବନ୍ଥ ରେଡ୍ଡୀଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିବା ପରେ ତୀବ୍ର ସମାଲୋଚନା କରିଛି ବିଜେପି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ରବି ଶଙ୍କର ପ୍ରସାଦ କହିଛନ୍ତି, କଂଗ୍ରେସ ନେତାଙ୍କ ମନରେ ଅଦ୍ଭୁତ ଚିନ୍ତାଧାରା ରହିଛି। ସେମାନେ ଦେଶକୁ ଉତ୍ତର ଓ ଦକ୍ଷିଣରେ ଭାଗ ଭାଗ କରିବାକୁ ଚାହୁଁଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତେଲଙ୍ଗାନାର ଡିଏନ୍‌ଏ ବିହାର ଡିଏନ୍‌ଏଠାରୁ ଭଲ। କେ. ଚନ୍ଦ୍ରଶେଖର ରାଓ ବିହାରର ଲୋକ। ତାଙ୍କର ପୂର୍ବପୁରୁଷମାନେ ବିହାରରୁ ଆସିଥିଲେ। ତାଙ୍କ (କେସିଆରଙ୍କ) ଜାତି ଓ ନୀତୀଶ କୁମାରଙ୍କ ଜାତି ସମାନ।
ରବି ଶଙ୍କର ପ୍ରସାଦ ଆହୁରି କହିଛନ୍ତି, କେତେ ତଳକୁ ଖସି ଯାଉଛି କଂଗ୍ରେସ। ରେବନ୍ଥ ରେଡ୍ଡୀଙ୍କ ଶପଥ ଗ୍ରହଣ ଉତ୍ସବକୁ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଯାଇଥିଲେ। କିନ୍ତୁ ସେମାନେ କେହି ରେବନ୍ଥଙ୍କୁ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରି ନେବାକୁ କହିଲେ ନାହିଁ କି ଏ ବିଷୟରେ କିଛି ମନ୍ତବ୍ୟ ଦେଲେ ନାହିଁ। କଂଗ୍ରେସ ଦେଶର ସଂସ୍କୃତି ଓ ସାମାଜିକ ଏକତାକୁ ନେଇ ରାଜନୀତି ନକରୁ। ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ପ୍ରସଙ୍ଗରେ କାହିଁକି ଚୁପ୍ ବସିଛନ୍ତି ବୋଲସ ସେ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ଉଦ୍ଦେଶ୍ୟରେ ଶ୍ରୀ ପ୍ରସାଦ କହିଛନ୍ତି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଏକ ଅଞ୍ଚଳର ଡିଏନ୍‌ଏ ଦୁର୍ବଳ ବୋଲି କହୁଛନ୍ତି। ତା’ସହିତ ଜାତିକୁ ନେଇ ଲଜ୍ଜାଜନକ ମନ୍ତବ୍ୟ ଦେଉଛନ୍ତି। ତାହା ପୁଣି ନିଜ ଦଳର ନେତାଙ୍କ (ବିହାରର କଂଗ୍ରେସ ନେତା) ବିରୋଧରେ। ଏହା ଦୁର୍ଭାଗ୍ୟଜନକ। ଆମେ ଏହାକୁ ନିନ୍ଦା କରୁଛୁ। ଯଦି ଦେଶର ଏକତାର ଗୁରୁତ୍ୱକୁ କଂଗ୍ରେସ ବୁଝେ, ତା’ହେଲେ ସେମାନେ ମଧ୍ୟ ଏହାକୁ ନିନ୍ଦା କରିବା ଉଚିତ।

ad-week
Leave A Reply

Your email address will not be published.