ଅମୃତସର-ନ୍ୟୁ ଜଲପାଇଗୁଡ଼ି କର୍ମଭୂମି ଏକ୍ସପ୍ରେସରେ ଲାଗିଲା ନିଆଁ

puja26

ଅମୃତସର : ପଞ୍ଜାବରେ ଚଳନ୍ତା ଟ୍ରେନରେ ଲାଗିଲା ନିଆଁ ।  ଅମୃତସର-ନ୍ୟୁ ଜଲପାଇଗୁଡ଼ି କର୍ମଭୂମି ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ। ୪ ବଗି ଜଳିପୋଡ଼ି ଛାରଖାର। ଅଗ୍ନିକାଣ୍ଡର କରାଳ ରୂପ ଦେଖି ଆତଙ୍କିତ ହୋଇପଡ଼ିଲେ ଶହ ଶହ ଯାତ୍ରୀ। ପଞ୍ଜାବର ପଟିଆଲା ଜିଲ୍ଲା ରାଜପୁରା ନିକଟ ସରାୟ ବଞ୍ଜାରା ଅଞ୍ଚଳରେ ଘଟିଛି ଏହି ଅଘଟଣ ।  ଅପରାହ୍ଣ ପ୍ରାୟ ୧ଟା ୧୦ ମିନିଟ୍ ସମୟରେ ସିରହିନ୍ଦ-ରାଜପୁରା ରେଳ ସେକ୍ସନରେ ଏହି ଅଘଟଣ ଘଟିଛି ।

ତେବେ ଟ୍ରେନ୍ ଇଞ୍ଜିନ ପଛକୁ ଥିବା ୫ମ ବଗିରେ ପ୍ରଥମେ ନିଆଁ ଲାଗିଥିଲା। ଏହା ପରେ ନିଆଁ ଦ୍ରୁତ ଗତିରେ ଅନ୍ୟ ୪ ବଗିକୁ ବ୍ୟାପିଥିଲା। ଟ୍ରେନରେ ନିଆଁ ଲାଗିଥିବା ଦେଖି ଲୋକୋ ପାଇଲଟ୍ ଓ ଗାର୍ଡ ତୁରନ୍ତ ଏମରଜେନ୍ସି ବ୍ରେକ୍ ମାରି ଗାଡ଼ିକୁ ଅଟକାଇଥିଲେ। ଟ୍ରେନ୍ ଚାଲୁଥିବା ବେଳେ ହଠାତ୍ ବଗିରେ ନିଆଁ ଲାଗିବା ସହ ଚାରିଆଡ଼େ କଳା ଧୂଆଁ ବ୍ୟାପିଯାଇଥିଲା।

କଳାଧୂଆଁ ଓ ନିଆଁ ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ଜୀବନ ବଞ୍ଚାଇବାକୁ ଯାତ୍ରୀଙ୍କ ମଧ୍ୟରେ ଧାଁଦୌଡ଼ ଆରମ୍ଭ ହୋଇଥିଲା। କିଛି ଯାତ୍ରୀ ଜୀବନ ବିକଳରେ ଟ୍ରେନରୁ ତଳକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ସେପଟେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ, ପୋଲିସ ଓ ରେଳବାଇ ଅଧିକାରୀ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ନିଆଁକୁ ଆୟତ କରିଥିଲେ। ତେବେ ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ସ୍ତରରୁ ଜଣାପଡ଼ିଛି। ସେପଟେ ନିଆଁ ଲାଗିବାର କାରଣ ଏଯାଏଁ ଅସ୍ପଷ୍ଟ ଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ad-week
Leave A Reply

Your email address will not be published.