ଗାଜା ଅସ୍ତ୍ରବିରତି ସଂକ୍ରାନ୍ତ ଜାତିସଂଘ ପ୍ରସ୍ତାବନା ଉପରେ ‘ଭିଟୋ’ ପ୍ରୟୋଗ କଲା ଆମେରିକା…

add-all

unsc

ଜାତିସଂଘ: ମାନବିକତା ଦୃଷ୍ଟିରୁ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଦାବି କରି ‘ଜାତିସଂଘ ସୁରକ୍ଷା ପରିଷଦ୍‌’ର ଅଧିକାଂଶ ସଦସ୍ୟ ଓ ଅନ୍ୟ ରାଷ୍ଟ୍ରମାନଙ୍କ ସମର୍ଥନରେ ଜାତିସଂଘ ଆଗତ କରିଥିବା ପ୍ରସ୍ତାବନାକୁ ବାସ୍ତବତାଠାରୁ ଭିନ୍ନ କହି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଏହା ଉପରେ ‘ଭିଟୋ’ ପ୍ରୟୋଗ କରିଛି।
ସଂଯୁକ୍ତ ଆରବ ଏମିରେଟସ୍‌ଦ୍ବାରା ଆଗତ ଉକ୍ତ ସଂକ୍ଷିପ୍ତ ଚିଠା ପ୍ରସ୍ତାବନା ସପକ୍ଷରେ ୧୩ଜଣ ସଦସ୍ୟ ଭୋଟ୍‌ ଦେଇଥିବା ବ‌େଳେ ବ୍ରିଟେନ୍‌ ଭୋଟ୍‌ଦାନରୁ ବିରତ ରହିଥିଲା।
ଜାତିସଂଘ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରଦୂତ ରବର୍ଟ ଉଡ୍‌ ପରିଷଦ୍‌ରେ ଘୋଷଣା କଲେ ଯେ, ସାମରିକ କାର୍ଯ୍ୟାନୁଷ୍ଠାନ ସ୍ଥଗିତକରଣ ହମାସ୍‌କୁ ଶାସନ କରିବାକୁ ସୁଯୋଗ ଦେବା ସହିତ ପରବର୍ତ୍ତୀ ଯୁଦ୍ଧର କାରଣ ହେବ।
ହମାସ୍‌ ଆକ୍ରମଣକୁ ନିନ୍ଦା କରିବାରେ ବିଫଳ ହୋଇଥିବା ଜାତିସଂଘ ସୁରକ୍ଷା ପରିଷଦ୍‌କୁ ଉଡ୍‌ ସମାଲୋଚନା କରିଛନ୍ତି ଏବଂ ଆତ୍ମରକ୍ଷା ଲାଗି ଇସ୍ରାଏଲ୍‌ର ଅଧିକାରକୁ ସ୍ବୀକୃତି ଦେଇଛନ୍ତି।
ଉଡ୍‌ ଆହୁରି ମଧ୍ୟ କହିଛନ୍ତି, ଉଭୟ ଇସ୍ରାଏଲୀୟ ଓ ପାଲେଷ୍ଟିନୀୟମାନେ ଶାନ୍ତି ଓ ସୁରକ୍ଷାରେ ରହିବା ଲାଗି ଦୀର୍ଘସ୍ଥାୟୀ ଶାନ୍ତି ପ୍ରସ୍ତାବକୁ ଦୃଢ଼ ସମର୍ଥନ କରୁଥିଲେ ବି ଏଭଳି ସାମୟିକ ଅସ୍ତ୍ରବିରତିକୁ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥନ କରିବ ନାହିଁ। ଏହି ଅସ୍ତ୍ରବିରତି କେବଳ ପରବର୍ତ୍ତୀ ଯୁଦ୍ଧର କାରଣ ହେବ।
ସେ ପୁଣି କହିଛନ୍ତି, ଆଗତ ପ୍ରସ୍ତାବନା ବାସ୍ତବତାଠାରୁ ଭିନ୍ନ ଏବଂ ଆମେ ସାମ୍ପ୍ରତିକ ପରିସ୍ଥିତିରେ କୌଣସି ପରିବର୍ତ୍ତନ କରାଇ ଦେବୁନାହିଁ।
ପ୍ରସ୍ତାବନା ଉପ‌ରେ ଭୋଟ୍‌ ଶେଷ ହେବା ପରେ ଜାତିସଂଘସ୍ଥିତ ଇସ୍ରାଏଲ୍‌ର ରାଷ୍ଟ୍ରଦୂତ ଜିଲାଡ୍‌ ଏର୍ଡାନ୍‌ ଗୁରୁତ୍ବାରୋପ କରି କହିଲେ ଯେ, ସମସ୍ତ ପଣବନ୍ଦୀ ଫେରିବା ସହିତ ହମାସ୍‌ ନିର୍ମୂଳ ହେଲେ ଯାଇ ଅସ୍ତ୍ରବିରତି ସମ୍ଭବ ହେବ।

ad-week
Leave A Reply

Your email address will not be published.