ସବୁ ନିୟମ ଭାଙ୍ଗିଛି ସଦାଚାର କମିଟି

add-all

mahua

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିବାରୁ ଏହାର ପ୍ରତିବାଦରେ ସେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଏବଂ ସଂସଦକୁ କଙ୍ଗାରୁ କୋର୍ଟ ବୋଲି କହିଛନ୍ତି। ଲୋକସଭା ସଦାଚାର କମିଟିର ରିପୋର୍ଟ ଆଜି ଲୋକସଭାରେ ଉପସ୍ଥାପନ ହେବାପରେ ତାଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଅଗତ ହୋଇଥିଲା। ‌ ପ୍ରସ୍ତାବ ଉପରେ ଭୋଟ୍ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ଲୋକସଭା ସଦସ୍ୟତା ହରାଇବା ପରେ ମହୁଆ ବିରୋଧୀ ଦଳ ସାଂସଦଙ୍କ ସହ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଲୋକସଭା ସଦାଚାର କମିଟି ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଦଣ୍ଡିତ କରିବା ପାଇଁ ସବୁ ନିୟମ ଭାଙ୍ଗିଛି। ଯେଉଁ ଆଚରଣ ସଂହିତାର ଉଲ୍ଲଂଘନ ମାମଲାରେ ମୁଁ ଦୋଷୀ ସାବ୍ୟସ୍ତ ହୋଇଛି ତାହାର ଅସ୍ତିତ୍ବ ହିଁ ନାହିଁ ବୋଲି ମହୁଆ କହିଛନ୍ତି। ସଂସଦୀୟ ଲଗ୍‌ଇନ୍‌ ପାସ୍‌ୱାର୍ଡ ସେୟାର କରିବା ନେଇ କୌଣସି ନିୟମ ନିର୍ଦ୍ଧାରଣ ହୋଇନଥିଲେ ମଧ୍ୟ ସଦାଚାର କମିଟି ୫୦୦ ପୃଷ୍ଠାର ରିପୋର୍ଟରେ ବିଭ୍ରାନ୍ତିକର ତଥ୍ୟ ରଖି ମତେ ଶାସ୍ତି ଦେବାକୁ ଯୋଜନା କରିଥିଲା ଏବଂ ଏଥିପାଇଁ ପ୍ରୋତ୍ସାହିତ କରାଯାଇଥିଲା ବୋଲି ସେ କହିଛନ୍ତି।
ମହୁଆ କହିଛନ୍ତି, ସଦାଚାର କମିଟିର ରିପୋର୍ଟ ସଂପୂର୍ଣ୍ଣ ଭାବେ ଦୁଇ ଜଣ ବ୍ୟକ୍ତିଙ୍କ ଦ୍ବାରା ଲିଖିତ ସାକ୍ଷ୍ୟ ଉପରେ ଆଧାରିତ। ଏହି ସାକ୍ଷ୍ୟ ପରସ୍ପରର ବିରୋଧାଭାଷ ଥିଲେ ମଧ୍ୟ କେବଳ ଲଗ୍‌ଇନ ମାମଲାକୁ ଅଗ୍ରାଧିକାର ଦେଇ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ବିନା ପ୍ରମାଣରେ ମତେ ଦଣ୍ଡ ଦିଆଯାଇଛି ଏବଂ ଏହା ସଂପୂର୍ଣ୍ଣ ଅନୈତିକ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଟିଏମ୍‌ସି କହିଛି ଯେ ମହୁଆ ମୈତ୍ର ପ୍ରଶ୍ନ ପଚାରିବା ପାଇଁ କାହାଠାରୁ ନଗଦ ଅର୍ଥ କିମ୍ବା ଉପହାର ନେଇଥିବା କୌଣସି ପ୍ରମାଣ ନାହିଁ। ସଦାଚାର କମିଟି ମାମଲାର ମୂଳ ପର୍ଯ୍ୟନ୍ତ ନ ପହଞ୍ଚି ଉପରଠାଉରିଆ ଭାବେ ମହୁଆଙ୍କୁ ଦୋଷୀ ସାବ୍ୟସ୍ତ କରିଛି ବୋଲି ଟିଏମ୍‌ସି କହିଛି। କଂଗ୍ରେସ ଦଳ କହିଛି ଯେ ମହୁଆଙ୍କୁ ଯେଭଳି ପ୍ରକ୍ରିୟାରେ ସଂସଦରୁ ବହିଷ୍କାର କରାଗଲା ତାହା ପ୍ରାକୃତିକ ନ୍ୟାୟର ଉଲ୍ଲଂଘନ। ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ଯେ ବିଜେପି ପ୍ରତିଶୋଧର ରାଜନୀତି କରୁଛି ଏବଂ ମହୁଆଙ୍କୁ ବହିଷ୍କାର କରାଯିବା ଗଣତନ୍ତ୍ରର ହତ୍ୟା। ମହୁଆ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.