ସକାଳ ଚା’ ଦେବାରେ ବିଳମ୍ବ କଲେ ସ୍ତ୍ରୀ, ଖଣ୍ଡାରେ ମୁଣ୍ଡଗଣ୍ଡି ଅଲଗା କରି ଦେଲେ ସ୍ୱାମୀ…

add-all

Sundari_1703071340

ସକାଳ ଚା’ ଦେବାରେ ସ୍ତ୍ରୀ ବିଳମ୍ବ କରିବାରୁ ସ୍ୱାମୀ ତାଙ୍କୁ ଖଣ୍ଡାରେ ହାଣି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦର ଭୋଜପୁର ଗାଁରେ।

ମୃତ ମହିଳାଙ୍କ ନାଁ ସୁନ୍ଦରୀ (୫୦)। ତାଙ୍କ ସ୍ୱାମୀଙ୍କ ନାଁ ଧର୍ମବୀର (୫୨)। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ ଚା’କୁ ନେଇ ଧର୍ମବୀର ଓ ସୁନ୍ଦରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସୁନ୍ଦରୀ ସକାଳ ଚା’ ଦେବାରେ ବିଳମ୍ବ କରିବାରୁ ପ୍ରଥମେ ପାଟି କରିଥିଲେ ଧର୍ମବୀର। ଜବାବରେ ସୁନ୍ଦରୀ କହିଥିଲେ ଯେ ଚା’ ପ୍ରସ୍ତୁତ କରିବାକୁ ଟିକେ ସମୟ ଲାଗିବ। ତା’ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ସେମାନଙ୍କର ଚାରି ଛୁଆ ଶୋଇଥିଲେ।

ଯୁକ୍ତିତର୍କ ଚାଲିଥିବା ବେଳେ ଉତ୍‌କ୍ଷିପ୍ତ ଧର୍ମବୀର ଏକ ଖଣ୍ଡାରେ ସୁନ୍ଦରୀଙ୍କୁ ଆକ୍ରମଣ କରିଥିଲେ। ସେ ସୁନ୍ଦରୀଙ୍କ ବେକରେ ପଛପଟୁ ଚୋଟ ପକାଇଥିଲେ। ଖଣ୍ଡା ଚୋଟରେ ସୁନ୍ଦରୀଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା।

ସୁନ୍ଦରୀଙ୍କ ଚିତ୍କାର ଶୁଣି ଗାଁ ଲୋକେ ତାଙ୍କ ଘରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲେ। ସେମାନେ ସ୍ଥାନୀୟ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତା’ ସହିତ ଅଭିଯୁକ୍ତକୁ ଗିରଫ କରିଥିଲା। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.