ବିବାଦ ସତ୍ତ୍ୱେ ବ୍ରିଜଭୂଷଣ ସିଂହଙ୍କ ସହଯୋଗୀ ଜିତିଲେ କୁସ୍ତି ମହାସଂଘ ନିର୍ବାଚନ

BJP_1703153524

ନୂଆଦିଲ୍ଲୀ :ବିଜେପି ସାଂସଦ ତଥା ଯୌନ ନିର୍ଯାତନା ଅଭିଯୋଗରେ ଫସିଥିବା ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ବଡ଼ ସଫଳତା ମିଳିଛି। ତାଙ୍କ ବିରୋଧରେ ଦେଶର ଅନେକ ପ୍ରଖ୍ୟାତ ରେସଲର ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।
ତଥାପି କୁସ୍ତି ମହାସଂଘ ନିର୍ବାଚନରେ ବ୍ରିଜ ଭୂଷଣଙ୍କ ଜଣେ ଘନିଷ୍ଠ ସହଯୋଗୀ ବଡ଼ ବିଜୟ ହାସଲ କରିଛନ୍ତି। ବ୍ରିଜ ଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂହ ଜାତୀୟ କୁସ୍ତି ମହାସଂଘର ନୂଆ ମୁଖ୍ୟ ହୋଇଛନ୍ତି।
ସଞ୍ଜୟ ସିଂହଙ୍କ ବିରୋଧରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଅନୀତା ଶେଓରନ ଛିଡ଼ା ହୋଇଥିଲେ। ଅନୀତାଙ୍କୁ ବ୍ରିଜ ଭୂଷଣଙ୍କ ବିରୋଧରେ ବିକ୍ଷୋଭ କରିଥିବା ଟପ୍‌ ରେସଲରମାନେ ସମର୍ଥନ କରିଥିଲେ। କିନ୍ତୁ ସଞ୍ଜୟ ସିଂହ ମୋଟ ୪୭ ଭୋଟରୁ ୪୦ଟି ହାସଲ କରି ଅନୀତାଙ୍କୁ ହରାଇ ଦେଇଛନ୍ତି।
ସଞ୍ଜୟ ସିଂହଙ୍କୁ ବ୍ରିଜ ଭୂଷଣ ପୂରା ସମର୍ଥନ କରିଥିଲେ। ବ୍ରିଜ ଭୂଷଣ ରେସଲିଂ ସଂଘର ମୁଖ୍ୟ ଭାବେ ୧୨ ବର୍ଷ ହେଲା କାମ କରୁଥିଲେ। ଏହି ସମୟରେ ଅନେକ ମହିଳା ରେସଲରଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ତାଙ୍କୁ ରେସଲିଂ ମହାସଂଘରୁ ବିଦା କରିବାକୁ ଦାବି ହୋଇଥିଲା। ଏଥିପାଇଁ ନିର୍ବାଚନ କରାଯାଇଥିଲା।
କିନ୍ତୁ ନିର୍ବାଚନରେ ବ୍ରିଜ ଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂହ ହିଁ ବିଜୟୀ ହୋଇଛନ୍ତି। ପୂର୍ବରୁ ସଞ୍ଜୟ ସିଂହ ଉତ୍ତର ପ୍ରଦେଶ ରେସଲିଂ ମହାସଂଘର ଉପ ସଭାପତି ରହିଥିଲେ। ଭାରତୀୟ କୁସ୍ତି ମହାସଂଘର ଶେଷ କାର୍ଯ୍ୟ ନିର୍ବାହୀର ପରିଷଦର ସଦସ୍ୟ ଓ ୨୦୧୯ ଯାଏ ଏହାର ଯୁଗ୍ମ ସଂପାଦକ ମଧ୍ୟ ରହିଥିଲେ।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କୁସ୍ତି ମହାସଂଘର ଉପ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ପରାସ୍ତ ହେବାକୁ ପଡ଼ିଛି। କୁସ୍ତି ମହାସଂଘର ସଭାପତି ପଦ ବ୍ୟତୀତ ବରିଷ୍ଠ ଉପ ସଭାପତି, ୪ ଉପ ସଭାପତି, ଗୋଟିଏ ସାଧାରଣ ସମ୍ପାଦକ, ଗୋଟିଏ କୋଷାଧ୍ୟକ୍ଷ, ଦୁଇଟି ଯୁଗ୍ମ ସମ୍ପାଦକ ଓ ୫ଟି କାର୍ଯ୍ୟନିର୍ବାହୀ ସଦସ୍ୟ ପଦ ପାଇଁ ନିର୍ବାଚନ ହୋଇଥିଲା।

ad-week
Leave A Reply

Your email address will not be published.