ଶୀତଳ ଭଣ୍ଡାର ବୁଲି ଦେଖିବା ସହ ହିତାଧିକାରୀ ଓ ମିଶନ ଶକ୍ତି ମହିଳାଙ୍କ ସହ କଲେ ଆଲୋଚନା
ସୁନ୍ଦରଗଡ/ରାଉରକେଲା : ବୈଶ୍ବିକ ସଂସ୍ଥା ବ୍ଲୁମବର୍ଗ ଫିଲାନଥ୍ରପିଜର ଦୁଇ ବରିଷ୍ଠ ଅଧିକାରୀ ରାଉରକେଲା ଗସ୍ତରେ ଆସି ସହରର ବିଭିନ୍ନ ସ୍ଥାନରେ ରାଉରକେଲା ମହାନଗର ନିଗମ ତରଫରୁ କରାଯାଇଥିବା ଶୀତଳ ଭଣ୍ଡାର ପ୍ରକଳ୍ପ ଗୁଡିକୁ ବୁଲି ଦେଖିଛନ୍ତି। ବ୍ଲୁମବର୍ଗ ଫିଲାନଥ୍ରପିଜ ସଂସ୍ଥାର ଦୁଇ ଅଧିକାରୀ ବ୍ରୁକ ସ୍ମିଥ ଓ ଅପର୍ଣ୍ଣା ରମଣନ ଶୀତଳ ଭଣ୍ଡାର ବୁଲି ଦେଖିବା ସହ ସେଠାରେ ଉପସ୍ଥିତ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରକଳ୍ପ ସମ୍ପର୍କରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହ ଆଲୋଚନା କରିବା ସହ ଏହା ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଚାଷୀ, କ୍ଷୁଦ୍ର ଫଳ ଓ ପନିପରିବା ବ୍ୟବସାୟୀଙ୍କୁ ଲାଭାନ୍ୱିତ କରିବା ଜାଣି ସନ୍ତୋଷ ବ୍ୟକ୍ତ କରିଥିଲେ।
ଦୁଇ ଜଣ ବରିଷ୍ଠ ଅଧିକାରୀ ସ୍ଥାନୀୟ ଟ୍ରାଫିକ ଗେଟ୍ ସ୍ଥିତ ଶୀତଳ ଭଣ୍ଡାର ଯାଇ ସେଠାରେ ଏହାର ପରିଚାଳନା ଦାୟିତ୍ବରେ ଥିବା ‘ଜୟ ମାତା ଦି’ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ । ଛେଣ୍ଡ ସ୍ଥିତ ଭିଏସଏସ ମାର୍କେଟ ସହ ନୂତନ ଭାବେ ପାନପୋଷ ମାର୍କେଟ, ଇସ୍ପାତ ମାର୍କେଟ ଓ ଫର୍ଟିଲାଇଜର ଠାରେ ନିର୍ମାଣାଧୀନ ଶୀତଳ ଭଣ୍ଡାର ବୁଲି ଦେଖିବା ସହ ପରିଚାଳନା ଦାୟିତ୍ଵ ବହନ କରିବାକୁ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହ ଆଲୋଚନା କରିବା କାଳରେ ସେମାନଙ୍କ ଜୀବିକାକୁ ସୁଦୃଢ଼ କରିବାରେ ଏହି ଶୀତଳ ଭଣ୍ଡାରର ଭୂମିକା ବାବଦରେ ପଚାରି ବୁଝିଥିଲେ।

ଏଥି ସହ ଏହି ପ୍ରକଳ୍ପ ଦ୍ଵାରା ଲାଭାନ୍ୱିତ ହେଉଥିବା କ୍ଷୁଦ୍ର ଚାଷୀ, ପନିପରିବା ଓ ଫଳ ବ୍ୟବସାୟୀଙ୍କୁ ଭେଟିଥିଲେ । ସେମାନଙ୍କ ସହ ଆଲୋଚନା କାଳରେ ଏହି ଶୀତଳ ଭଣ୍ଡାର ଦ୍ଵାରା ସେମାନଙ୍କୁ କିପରି ଭାବେ ଲାଭ ମିଳିଛି ଓ ସେମାନଙ୍କ ଜୀବିକା କିପରି ବିକଶିତ ହୋଇପାରିଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ରାଉରକେଲା ମହାନଗର ନିଗମ ଶୀତଳ ଭଣ୍ଡାର ଭଳି ଏକ ଅଭିନବ ପ୍ରକଳ୍ପ ପାଇଁ ୨୦୨୧ ମସିହାରେ ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ବିଶ୍ୱର ଶ୍ରେଷ୍ଠ ୧୫ଟି ସହର ମଧ୍ୟରେ ସ୍ଥାନ ପାଇଥିଲା। ଯାହା ସ୍ଥାନୀୟ ଅଧିବାସୀଙ୍କ ପାଇଁ ବେଶ୍ ଗର୍ବର ବିଷୟ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ମହାମାରୀ କରୋନା ସମୟରେ ସମସ୍ତେ ଅଣ୍ଟା ସଳଖିବା ପାଇଁ ଚେଷ୍ଟା ଚଳାଇ ଥିବା ବେଳେ ସେ ସମୟରେ ରାଉରକେଲା ମହାନଗର ନିଗମର ଏହି ପ୍ରକାର ପରିକଳ୍ପନା ସ୍ଥାନୀୟ ଫଳ ଓ ପନିପରିବା ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ମିଶନ ଶକ୍ତିର ମହିଳା ମାନଙ୍କ ମୁହଁରେ ହସ ଫୁଟାଇବାରେ ବିଶେଷ ସହାୟକ ହୋଇଥିଲା। କରୋନା ମହାମାରୀ ସମୟରେ ଏହି ପ୍ରକଳ୍ପ ଉପସ୍ଥାପନା ନିମନ୍ତେ ବ୍ଲୁମବର୍ଗ ଫିଲାନଥ୍ରପିଜ ସଂସ୍ଥା ପକ୍ଷରୁ ଇସ୍ପାତ ସହର ରାଉରକେଲାକୁ ୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର ମିଳିଥିଲା।
କରୋନା ମହାମାରୀ ସମୟରେ ପାଇଲଟ ପ୍ରକଳ୍ପ ଭାବେ ରାଉରକେଲା ସହରର ଛେଣ୍ଡ ସ୍ଥିତ ଭିଏସଏସ ମାର୍କେଟରେ ଏକ ଶୀତଳ ଭଣ୍ଡାର ସ୍ଥାପନ କରାଯାଇଥିଲା। ସ୍ଥାନୀୟ କ୍ଷୁଦ୍ର ପରିବା ଓ ବ୍ୟବସାୟୀମାନଙ୍କ ପାଇଁ ଏହି ଶୀତଳ ଭଣ୍ଡାର ବେଶ୍ ସହାୟକ ହୋଇଥିଲା। କାରଣ ବିକ୍ରୟ ପରେ ସେମାନେ ସେମାନଙ୍କ ଅବଶିଷ୍ଟ ସାମଗ୍ରୀର ଅପଚୟ ରୋକିବା ସହ ସଂରକ୍ଷଣ କରିପାରିଥିଲେ। ଏହା ପରେ ଏହି ଭଳି ଅଭିନବ ପ୍ରକଳ୍ପକୁ ସହରର ଅନ୍ୟ ସ୍ଥାନ ଗୁଡ଼ିକରେ ସମ୍ପ୍ରସାରିତ କରାଯାଇଛି। ରାଉରକେଲା ମହାନଗର ନିଗମ ତରଫରୁ ଏହାର ପରିଚାଳନା ଭାର ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଉପରେ ନ୍ୟସ୍ତ କରାଯାଇ ସେମାନଙ୍କ ଜୀବିକାକୁ ସୁଦୃଢ଼ କରାଯାଇଛି।
