ନବରଙ୍ଗପୁରରେ ଦିଶା (DISHA) କମିଟି ବୈଠକ : ଭିତ୍ତିଭୂମି ଓ ଜନକଲ୍ୟାଣ ପ୍ରକଳ୍ପରେ ତ୍ୱରାନ୍ୱିତ ପଦକ୍ଷେପ ପାଇଁ ଆହ୍ୱାନ

ଉମରକୋଟ / ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ସାଂସଦ (ଲୋକସଭା) ଶ୍ରୀ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଦିଶା (DISHA – District Development Coordination and Monitoring Committee) କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମୋତିରାମ ନାୟକ, ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ, ସିଡିଏମଓ, ପ୍ରମୁଖ ଜିଲ୍ଲା ଅଧିକାରୀ, ବିଭିନ୍ନ ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ବୈଠକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଡିଏମଓ ‘ଆୟୁଷ୍ମାନ ଓ ‘ବୟୋବନ୍ଦନା’ କାର୍ଡ଼ ବିତରଣ, ସିକେଲ ସେଲ୍, ଯକ୍ଷ୍ମା (Tuberculosis), ମ୍ୟାଲେରିଆ, ମଧୁମେହ (Diabetes) ଏବଂ ଉଚ୍ଚ ରକ୍ତଚାପ (Hypertension) ପାଇଁ ଚାଲିଥିବା ସ୍କ୍ରିନିଂ କାର୍ଯ୍ୟକ୍ରମ ଓ ଔଷଧ ବ୍ୟବସ୍ଥା ଉପରେ ପ୍ରତିବେଦନ ଉପସ୍ଥାପନ କରିଥିଲେ।
ସାଂସଦ ଶ୍ରୀ ମାଝୀ ଯୁବ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇବା ଉପରେ ଗୁରୁତ୍ୱ ଦେଇ ମୁଦ୍ରା ଯୋଜନାରେ ବିଶେଷ ଲାଭ ଦେବାକୁ ଏବଂ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧିକ ପଞ୍ଜିକରଣ ଓ ଋଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଭିତ୍ତିଭୂମି କ୍ଷେତ୍ରରେ ପଛୁଆ ନ ପଡ଼ିବା ପାଇଁ ସାଂସଦ ଦୁଇଟି ପ୍ରମୁଖ ଜାତୀୟ ପ୍ରକଳ୍ପ ଯଥା ଭାରତମାଳା ପ୍ରକଳ୍ପ ଓ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏବଂ ଟେଣ୍ଡର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ, ଜିଲ୍ଲାର ସମସ୍ତ ୧୫୨ଟି ପଞ୍ଚାୟତରେ ଭାରତ ନେଟ୍ ସେବାକୁ ଫେବୃଆରୀ ମାସ ପୂର୍ବରୁ କାର୍ଯ୍ୟକ୍ଷମ କରିବା ପାଇଁ ସେ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ମନରେଗା (MGNREGA) ଯୋଜନାରେ ମେସିନ ବ୍ୟବହାର ନ କରି ଅଧିକ ମାନବ କାର୍ଯ୍ୟ ସୃଷ୍ଟି କରିବା ଉପରେ ସାଂସଦ ଗୁରୁତ୍ୱ ଦେଇଥିଲେ। ଏହା ସହିତ, ଜଳ, ବନ ଓ ଉଦ୍ୟାନ ଭଳି ଅନ୍ୟ ବିଭାଗୀୟ କର୍ମକର୍ତ୍ତାମାନଙ୍କୁ ମଧ୍ୟ ମନରେଗା ଅଧୀନରେ ଅଧିକ ପ୍ରକଳ୍ପ ନେବାକୁ ଉତ୍ସାହିତ କରାଯାଇଥିଲା। ତେବେ, କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ବୈଠକରେ ଅନୁପସ୍ଥିତ ଥିବାରୁ ସାଂସଦ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ଚାଷ ପାଇଁ ସଠିକ ଆକଳନ ଓ ପ୍ରକଳ୍ପ ପ୍ରସ୍ତୁତି ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଗତ ଜୁନ ୨୬, ୨୦୨୫ ତାରିଖର ସଭାର ପାଳନୀୟ ନିର୍ଦ୍ଦେଶାବଳୀ ସମେତ ବିଭିନ୍ନ ବିଭାଗୀୟ ପ୍ରଗତି ପ୍ରତିବେଦନ ଗୃହରେ ପ୍ରସ୍ତୁତ କରାଯାଇଥିଲା।
ଶେଷରେ, ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ସାଂସଦ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ଏବଂ ଏହି ମହତ୍ କାର୍ଯ୍ୟର ସଫଳ କାର୍ଯ୍ୟନ୍ୱୟନରେ ସମସ୍ତଙ୍କୁ ଜନସହଯୋଗ କରିବା ପାଇଁ ଆହ୍ୱାନ ଦେଇ ସଭା ସମାପ୍ତ କରିଥିଲେ। ?