ବ୍ରହ୍ମପୁର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ବ୍ଲକ୍ରେ ସେପ୍ଟେମ୍ବର ୧୭, ୨୦୨୬ରୁ ଏକ ମାସିକିଆ ‘ସେବା ସେତୁ ଅଭିଯାନ’ ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା (ପିଏମ୍ଏସ୍ଜିଏମ୍ବିୱାଇ) ସମ୍ପର୍କରେ ସଚେତନତା ବଢ଼ାଇବା ସହ ଅଧିକ ଲୋକଙ୍କୁ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ପାଇଁ ଉତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଛାତ ଉପରେ ସୌର ବିଦ୍ୟୁତ ବ୍ୟବସ୍ଥାର ପ୍ରସାର ଲକ୍ଷ୍ୟରେ ‘ସେବା ସେତୁ ଅଭିଯାନ’ ମାଧ୍ୟମରେ ଉପଭୋକ୍ତାଙ୍କ ନିକଟରେ ସିଧାସଳଖ ସୂଚନା ଓ ସହାୟତା ପହଞ୍ଚାଯାଉଛି। ଏହା ମାଧ୍ୟମରେ ସୌର ଶକ୍ତି ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଛାତ ଉପରେ ସୌର ପ୍ୟାନେଲ ଲଗାଇବାର ବ୍ୟବସ୍ଥା ତଥା ଏହି ପ୍ରକ୍ରିୟାକୁ ସରଳ କରାଯାଉଛି। ଏଥିସହ ଅଧିକରୁ ଅଧିକ ପରିବାରକୁ ପରିବେଶ ଅନୁକୂଳ ଓ ସୁଲଭ ସୌର ଶକ୍ତି ଆପଣାଇବା ପାଇଁ ଉତ୍ସାହିତ କରାଯାଉଛି।
ଏହି ଅଭିଯାନର ଅଂଶ ଭାବେ ଟିପିଏସ୍ଓଡିଏଲ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଚିକିଟି ଓ ରଙ୍ଗେଇଲୁଣ୍ଡା ବ୍ଲକ୍ ଏବଂ ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ରେ ‘ସେବା ସେତୁ ଅଭିଯାନ’ ଶିବିର ସଫଳତାର ସହ ଆୟୋଜନ କରାଯାଇଛି। ଏହି ଶିବିରଗୁଡ଼ିକୁ ଏକ ସ୍ଥାନରେ ବିଭିନ୍ନ ସୁବିଧା ଓ ସହାୟତା ଯୋଗାଇ ଦେଉଥିବା କେନ୍ଦ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏଠାରେ ଉପଭୋକ୍ତାମାନେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନର ଉପକାରିତା ବିଷୟରେ ଜାଣିବା ସହ ଏହି ଯୋଜନା ଅନ୍ତର୍ଗତ ସରକାରୀ ସବସିଡିର ସୁବିଧା, ଆବେଦନ ପ୍ରକ୍ରିୟା ବାବଦରେ ଜାଣି ପାରୁଛନ୍ତି ।
‘ସେବା ସେତୁ ଅଭିଯାନ’ର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ଏହି ଶିବିରଗୁଡ଼ିକରେ ବ୍ୟାଙ୍କ ଅଧିକାରୀ, ଆର୍ଇସି ପ୍ରତିନିଧି, ସୋଲାର ଭେଣ୍ଡର ଏବଂ ଟିପିଏସ୍ଓଡିଏଲ୍ର ଟିମ୍ ପାଇଁ ସ୍ୱତନ୍ତ୍ର ଡେସ୍କ ରହିଛି। ଏହି ଡେସ୍କଗୁଡ଼ିକ ମାଧ୍ୟମରେ ଉପଭୋକ୍ତାମାନେ ପଞ୍ଜୀକରଣ ଓ ଆବେଦନଠାରୁ ଆରମ୍ଭ କରି ଋଣ ସୁବିଧା, ଆବଶ୍ୟକ ଦଲିଲପତ୍ର, ସୌର ପ୍ୟାନେଲ ଲଗାଇବା ଏବଂ ସବସିଡି ସହାୟତା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକ ସୂଚନା ଓ ସହାୟତା ପାଇପାରୁଛନ୍ତି।
ବିଶେଷକରି ଗ୍ରାମୀଣ ଓ ଅର୍ଦ୍ଧ-ସହରାଞ୍ଚଳର ଉପଭୋକ୍ତାଙ୍କ ପାଇଁ ଏହି ପ୍ରକ୍ରିୟାକୁ ସରଳ କରିବା ଏହି ଅଭିଯାନର ଅନ୍ୟତମ ଲକ୍ଷ୍ୟ। ବିଭିନ୍ନ ବିଭାଗ ଓ ସଂସ୍ଥାର ଅଧିକାରୀ ଏବଂ ପ୍ରତିନିଧିମାନଙ୍କୁ ଗୋଟିଏ ମଞ୍ଚରେ ଆଣିବା ଦ୍ୱାରା ଉପଭୋକ୍ତାମାନେ ସିଧାସଳଖ ଆଲୋଚନା କରି ନିଜ ପ୍ରଶ୍ନର ଉତ୍ତର ପାଇପାରୁଛନ୍ତି। ଏଥିସହ ଉପଲବ୍ଧ ଆର୍ଥିକ ସହାୟତା ସମ୍ପର୍କରେ ଜାଣିବା ସହ ନିଜ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନର ସମସ୍ତ ସହାୟତା ଓ ଆବଶ୍ୟକତା ବାବଦରେ ଜାଣି ପାରୁଛନ୍ତି।
ଟିପିଏସ୍ଓଡିଏଲ୍ର କାର୍ଯ୍ୟକ୍ଷେତ୍ର ଅଧୀନରେ ଥିବା ବିଭିନ୍ନ ବ୍ଲକ୍ରେ ଏହି ‘ସେବା ସେତୁ ଅଭିଯାନ’ ମାସସାରା ଜାରି ରହିବ। ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା, ଉପଭୋକ୍ତାଙ୍କ ପ୍ରଶ୍ନ ଓ ସମସ୍ୟାର ସମାଧାନ କରିବା ସହ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଉପଲବ୍ଧ ବିଭିନ୍ନ ସୁବିଧା ଓ ଆର୍ଥିକ ସହାୟତା ପାଇବାରେ ଉପଭୋକ୍ତାଙ୍କୁ ସହଯୋଗ କରିବା ଉପରେ ଏହି ଅଭିଯାନରେ ଗୁରୁତ୍ୱ ଦିଆଯିବ।
