ସୂଚନା ଫଳକ ବିନା ପୋଲ ନିର୍ମାଣ ! ଭିଜିଲାନ୍ସ ତଦନ୍ତ ଦାବି : ଦିନଦ୍ୱିପ୍ରହରରେ ଚାଲିଛି ନିର୍ମାଣ କାର୍ଯ୍ୟ, କାହା ଇଙ୍ଗିତରେ ଏବଂ କେଉଁ ଅନୁମତିରେ ?

ଉମରକୋଟ / ରାଇଘର : ସରକାରୀ ଉନ୍ନୟନମୂଳକ କାର୍ଯ୍ୟରେ ସ୍ୱଚ୍ଛତା, ନିୟମନିଷ୍ଠା ଓ ଉତ୍ତରଦାୟିତ୍ୱ ରହିବା ଗଣତାନ୍ତ୍ରିକ ବ୍ୟବସ୍ଥାର ମୌଳିକ ଆବଶ୍ୟକତା। କିନ୍ତୁ ରାଇଘର ବ୍ଲକ ଅନ୍ତର୍ଗତ ବୋବାଇ ପଞ୍ଚାୟତର ଶାନ୍ତିନଗର ଗ୍ରାମରେ ଚାଲିଥିବା ପୋଲ ନିର୍ମାଣ କାର୍ଯ୍ୟକୁ ନେଇ ଏବେ ଅନେକ ଗମ୍ଭୀର ପ୍ରଶ୍ନ ସୃଷ୍ଟି ହୋଇଛି।
ନିର୍ମାଣସ୍ଥଳରେ ନାହିଁ କୌଣସି ସୂଚନା ଫଳକ। କେଉଁ ସରକାରୀ ଯୋଜନାରେ ଏହି ପୋଲ ନିର୍ମାଣ ହେଉଛି, ଏଥିପାଇଁ କେତେ ଟଙ୍କାର ବ୍ୟୟ ଅଟକଳ ହୋଇଛି, କେଉଁ ବିଭାଗ ଏହାର ଦାୟିତ୍ୱରେ ଅଛି ଏବଂ କାର୍ଯ୍ୟର ତଦାରଖ କିଏ କରୁଛନ୍ତି—ଏସବୁ ବିଷୟରେ ସାଧାରଣ ଲୋକଙ୍କ ପାଖରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ।
ସବୁଠାରୁ ଆଶ୍ଚର୍ଯ୍ୟର କଥା, ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଠିକାଦାରଙ୍କୁ ଏ ବିଷୟରେ ପଚାରିବାରୁ ସେ କୁଆଡ଼େ କହିଛନ୍ତି ଯେ, କୌଣସି ଡିମାଣ୍ଡ ନାହିଁ, ଫାଇଲ ମଧ୍ୟ ହୋଇନାହିଁ; ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ସେ ପୋଲ ନିର୍ମାଣ କରୁଛନ୍ତି। ଯଦି ଏହି ଦାବି ସତ୍ୟ, ତେବେ ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ? କାହାର ଅନୁମତିରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଏଭଳି ନିର୍ମାଣ କାର୍ଯ୍ୟ ଚାଲିଛି?
ଯଦି ଏହା ସରକାରୀ କାର୍ଯ୍ୟ, ତେବେ ଆବଶ୍ୟକ ପ୍ରଶାସନିକ ଅନୁମୋଦନ, ବୈଷୟିକ ଅନୁମତି, ବ୍ୟୟ ଅଟକଳ ଓ କାର୍ଯ୍ୟାଦେଶ କେଉଁଠି? ଆଉ ଯଦି ଏହା ବ୍ୟକ୍ତିଗତ ଅର୍ଥରେ ନିର୍ମାଣ ହେଉଛି, ତେବେ ସମ୍ପୃକ୍ତ ବିଭାଗର ଅନୁମତି ରହିଛି କି? ଏପରି ଅନେକ ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି।
ଦିନଦ୍ୱିପ୍ରହରରେ ଏଭଳି ନିର୍ମାଣ କାର୍ଯ୍ୟ କାହା ଇଙ୍ଗିତରେ ଚାଲିଛି? ସ୍ଥାନୀୟ ପ୍ରଶାସନ ଏହା ଜାଣିପାରୁନାହିଁ ନା ଜାଣିଶୁଣି ନିରବ ରହିଛି? ଯଦି କୌଣସି ଅନିୟମିତତା ନାହିଁ, ତେବେ ନିର୍ମାଣ କାର୍ଯ୍ୟର ସମସ୍ତ ତଥ୍ୟ ସାର୍ବଜନୀନ କରିବାରେ ଅସୁବିଧା କେଉଁଠି?
ଏହି ଘଟଣାକୁ କେବଳ ଏକ ସାଧାରଣ ନିର୍ମାଣ କାର୍ଯ୍ୟ ଭାବେ ଦେଖି ଏଡ଼ାଇ ଦିଆଯାଇପାରିବ ନାହିଁ। ନିର୍ମାଣ କାର୍ଯ୍ୟର ଅନୁମୋଦନ, ଅର୍ଥର ଉତ୍ସ, ନିର୍ମାଣ ସାମଗ୍ରୀର ଗୁଣବତ୍ତା ଓ ବୈଷୟିକ ମାନଦଣ୍ଡର ଯାଞ୍ଚ ଅତ୍ୟନ୍ତ ଜରୁରୀ। କାରଣ ଏହା ଲୋକଙ୍କ ଜୀବନ ଓ ସୁରକ୍ଷା ସହିତ ଜଡ଼ିତ।
ଜନସାଧାରଣଙ୍କ ଦାବି: ଏହି ଘଟଣାରେ ସମ୍ପୃକ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗ ତୁରନ୍ତ ହସ୍ତକ୍ଷେପ କରନ୍ତୁ। ନିର୍ମାଣ କାର୍ଯ୍ୟର ଅନୁମତି, ଅର୍ଥ ଯୋଗାଣ, ଠିକାଦାରଙ୍କ ଭୂମିକା ଓ ସମ୍ଭାବ୍ୟ ଅନିୟମିତତାର ନିରପେକ୍ଷ ତଦନ୍ତ କରାଯାଉ। ଯଦି ତଦନ୍ତରେ କୌଣସି ବେଆଇନ କାର୍ଯ୍ୟ, ଦୁର୍ନୀତି କିମ୍ବା ନିୟମ ଉଲ୍ଲଂଘନ ପ୍ରମାଣିତ ହୁଏ, ତେବେ ଦୋଷୀ ଯେତେ ପ୍ରଭାବଶାଳୀ ହୁଅନ୍ତୁ ନା କାହିଁକି, ତାଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେଉ କହି ବୋବେଇ ପଞ୍ଚାୟତବାସୀ ସ୍ୱର ଉଠେଇଛନ୍ତି।
ଲୋକଙ୍କ ହିତରେ ନିର୍ମାଣ ହେଉଥିବା ପୋଲର ତଥ୍ୟ ଲୋକଙ୍କଠାରୁ ଲୁଚାଯିବ କାହିଁକି? ସରକାରୀ କାମରେ ସ୍ୱଚ୍ଛତା ନଥିଲେ ଜନସାଧାରଣଙ୍କ ଆସ୍ଥା କିପରି ବଜାୟ ରହିବ? ଏବେ ସମସ୍ତଙ୍କ ନଜର ପ୍ରଶାସନ ଓ ଭିଜିଲାନ୍ସ ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ।
