ସମ୍ଭାବ୍ୟ ବାତ୍ୟା ‘ଅକବାନ’ ପାଇଁ ଜିଲ୍ଲାପାଳଙ୍କ ଜରୁରୀ ସମୀକ୍ଷା : ଆସନ୍ତାକାଲିଠାରୁ ପାହାଡ଼ିଆ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତରଣ

kalipuja

ଆଶ୍ରୟସ୍ଥଳୀ ଓ ଘରେ ୩ରୁ ୪ ଦିନର ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବାକୁ ପରାମର୍ଶ

୧୦୭ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ; ତ୍ରୁଟିଶୂନ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱ

ଛତ୍ରପୁର : ସମ୍ଭାବ୍ୟ ବାତ୍ୟା ‘ଅକବାନ’ର ମୁକାବିଲା ସହ ବନ୍ୟା ପ୍ରଭାବିତ ଲୋକଙ୍କୁ ତ୍ୱରିତ ସହାୟତା ପ୍ରଦାନ ନେଇ ଆଜି ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ସମୀକ୍ଷା ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବ, ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀରେ ଆବଶ୍ୟକ ବ୍ୟବସ୍ଥା ଏବଂ ପୂର୍ବ ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ବଣ୍ଟନ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ଜିଲ୍ଲାପାଳ କହିଥିଲେ ଯେ, ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ହୋଇଥିବା ପ୍ରବଳ ବର୍ଷା ଭଳି ପରିସ୍ଥିତି ପୁଣି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପାହାଡ଼ିଆ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଆସନ୍ତାକାଲିଠାରୁ ଲୋକଙ୍କ ସ୍ଥାନାନ୍ତରଣ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଗତଥର କ୍ଷତିଗ୍ରସ୍ତ ହୋଇନଥିବା ଅଞ୍ଚଳଗୁଡ଼ିକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ପ୍ରସ୍ତୁତି କରିବାକୁ କହିଥିଲେ। ଆବଶ୍ୟକ ସ୍ଥଳେ ଲୋକଙ୍କ ସ୍ଥାନାନ୍ତରଣ ପାଇଁ ଆରଟିଓଙ୍କ ସହଯୋଗରେ ଯାନବାହନ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଥିଲା।

ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଓ ନିଜ ଘରେ ଅନ୍ତତଃ ୩ରୁ ୪ ଦିନ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଆଶ୍ରୟସ୍ଥଳୀଗୁଡ଼ିକର ପରିମଳ ବ୍ୟବସ୍ଥା ଓ ଶୌଚାଳୟ ସଫା ରଖିବା ସହ ସମସ୍ତ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବାକୁ କହିଥିଲେ। ପ୍ରତ୍ୟେକ ଆଶ୍ରୟସ୍ଥଳୀ ପାଇଁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ସହ ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଗୁଡ଼ିକ ପରିଦର୍ଶନ କରିବେ। ପ୍ରତ୍ୟେକ ଆଶ୍ରୟସ୍ଥଳୀର ପ୍ରସ୍ତୁତି ସମ୍ପର୍କରେ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା।

ସ୍ଥାନୀୟ ଜନପ୍ରତିନିଧି, ପଞ୍ଚାୟତିରାଜ ସଦସ୍ୟ ଓ ପୌରସଂସ୍ଥାର କାଉନସିଲରମାନଙ୍କ ସହଯୋଗରେ ସମସ୍ତ ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଥିଲେ। ଲୋକମାନେ ତିନି ଦିନ ପାଇଁ ଆବଶ୍ୟକ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ପାନୀୟ ଜଳ ଆଗୁଆ ମହଜୁଦ ରଖିବା ଉପରେ ମାଇକ୍‌ ଯୋଗେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କୁହାଯାଇଥିଲା। ଦୋକାନଗୁଡ଼ିକ ସମ୍ମୁଖରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ତାଲିକା ପ୍ରଦର୍ଶନ ବାଧ୍ୟତାମୂଳକ କରାଯାଇଛି। ଗତ ବନ୍ୟାରେ ଜଳମଗ୍ନ ହୋଇଥିବା ଅଞ୍ଚଳର ପ୍ରତ୍ୟେକ ଘରେ ଏକ ନିର୍ଦ୍ଦିଷ୍ଟ ମାନର ଶୁଖିଲା ରାସନ କିଟ୍‌ ସହ ମହମବତୀ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଦୁର୍ବଳ ନଦୀବନ୍ଧ ଥିବା ସ୍ଥାନଗୁଡ଼ିକରେ ଲୋକଙ୍କୁ ସତର୍କ କରିବା ସହ ଦୁର୍ବଳ ପୋଲଗୁଡ଼ିକ ନିକଟରେ ଜଳସମ୍ପଦ ବିଭାଗର କର୍ମଚାରୀ ମୁତୟନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପୋଲଗୁଡ଼ିକର ତାଲିକା ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ ଆସନ୍ତାକାଲି ସୁଦ୍ଧା ପ୍ରଦାନ କରିବେ। ଆବଶ୍ୟକ ସ୍ଥାନରେ ଜେସିବି, ଟ୍ରାକ୍ଟର ଭଳି ଯନ୍ତ୍ରପାତି ଓ ଯାନବାହନ ମହଜୁଦ ରଖିବା ସହ ଜଳ ନିଷ୍କାସନ ପାଇଁ ଚାଷୀମାନଙ୍କ ସହଯୋଗ ନେବାକୁ କୁହାଯାଇଥିଲା। ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କିତ ଫଟୋ ଓ ଭିଡିଓ ନିୟମିତ ଭାବେ ପ୍ରଦାନ କରିବେ।

ବନ୍ୟା ପରବର୍ତ୍ତୀ ସହାୟତା ବଣ୍ଟନ ସମ୍ପର୍କରେ ଜିଲ୍ଲାପାଳ ବ୍ଲକୱାରୀ ଜିଆର୍‌ ଓ ଚାଉଳ ବଣ୍ଟନର ସମୀକ୍ଷା କରିଥିଲେ। ରାସନ କାର୍ଡ ନଥିବା ଯୋଗ୍ୟ ପରିବାରଙ୍କୁ ମଧ୍ୟ ଶୀଘ୍ର ସହାୟତା ପହଞ୍ଚାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଅଧିକ କର୍ମଚାରୀ ଥିବା ସ୍ଥାନରୁ କମ୍‌ କର୍ମଚାରୀ ଥିବା ସ୍ଥାନକୁ ମାନବ ସମ୍ବଳ ପଠାଇ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଅନୁମୋଦିତ ହୋଇସାରିଥିବା କ୍ଷୟକ୍ଷତି ମାମଲାରେ ସହାୟତା ବଣ୍ଟନ ଶୀଘ୍ର ଶେଷ କରିବାକୁ କୁହାଯାଇଥିଲା।

ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ଓ ଜଳବନ୍ଦୀ ସମସ୍ୟାର ମୁକାବିଲା ନେଇ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ବିଭିନ୍ନ ସ୍ଥାନର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବାକୁ ବିଇଏମ୍‌ସି କମିଶନର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆବଶ୍ୟକ ଯନ୍ତ୍ରପାତି ନିୟୋଜିତ କରି ଜଳ ନିଷ୍କାସନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ଅଦ୍ୟାବଧି ୧୦୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସାପ କାମୁଡ଼ାର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଆସନ୍ତାକାଲି ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ଏବଂ ଆସିକା ଅଞ୍ଚଳର ଗୁରୁତର ରୋଗୀଙ୍କୁ ହିଞ୍ଜିଳିକାଟୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଆସନ୍ତାକାଲି ଜିଲ୍ଲାପାଳ ଆସିକା ଅଞ୍ଚଳ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିବେ।

ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ ଯେ, ଜନସାଧାରଣଙ୍କ ଜୀବନ ଓ ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ କୌଣସି ପ୍ରକାର ତ୍ରୁଟି ବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି ଦାୟିତ୍ୱର ସହ କାର୍ଯ୍ୟ କରିବା ସହ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଦିଗରେ ସର୍ବାଧିକ ପ୍ରାଥମିକତା ଦେବେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ସଚ୍ଚିଦାନନ୍ଦ ନାୟକ, ସୁନୀଲ କେର୍କେଟା, ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅନ୍ୟ ଜିଲ୍ଲାର ବରିଷ୍ଠ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.