
୬୨ ଓ ୬୮ ବର୍ଷର ଦୁଇ ବୃଦ୍ଧଙ୍କ ଦୁର୍ଦ୍ଦଶା; କାଗଜକଲମରେ ସୀମିତ କି ସରକାରଙ୍କ ଜନକଲ୍ୟାଣ ଯୋଜନା ? ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଉଠିଲା ପ୍ରଶ୍ନ
ଉମରକୋଟ / ରାଇଘର : ସରକାର ଗୋଟିଏ ପଟେ ଗରିବ, ଅସହାୟ ଓ ବୟସ୍କ ନାଗରିକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନାର ଡିଣ୍ଡିମ ପିଟୁଛନ୍ତି। ସଭାସମିତିରେ ଜନହିତକର ଯୋଜନାର ସଫଳତାକୁ ନେଇ ବଡ଼ ବଡ଼ ଭାଷଣ ଦିଆଯାଉଛି। ହେଲେ ଅନ୍ୟପଟେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଜୀବନର ସାୟାହ୍ନରେ ପହଞ୍ଚିଥିବା ଯୋଗ୍ୟ ବୃଦ୍ଧ ନାଗରିକଙ୍କ ପାଖରେ ଯଦି ସରକାରୀ ସହାୟତା ପହଞ୍ଚିପାରୁନାହିଁ, ତେବେ ଏହି ଯୋଜନାର ପ୍ରକୃତ ସଫଳତା କେଉଁଠି? ସରକାରୀ ଘୋଷଣା ଓ ତୃଣମୂଳ ସ୍ତରର ବାସ୍ତବତା ମଧ୍ୟରେ ଏହି ବ୍ୟବଧାନ ଏବେ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।
ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ପଞ୍ଚାୟତର କୁସୁମପୁର (ଦରିପାରା) ଗ୍ରାମରୁ। ଗ୍ରାମର ତାଡେ ଗଣ୍ଡ (୬୨) ଓ ଲକ୍ଷମୁ ଗଣ୍ଡ (୬୮) ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ଏଯାଏଁ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଯେଉଁ ବୟସରେ ନିଜ ଶରୀରର ଯତ୍ନ ନେବା ମଧ୍ୟ କଷ୍ଟକର ହୋଇପଡ଼େ, ସେହି ବୟସରେ ସରକାରୀ ସହାୟତା ପାଇଁ ଏମାନଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି।
ସରକାରଙ୍କ ଉଦ୍ଦେଶ୍ୟ ଯଦି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା, ତେବେ ତାଡେ ଗଣ୍ଡ ଓ ଲକ୍ଷମୁ ଗଣ୍ଡଙ୍କ ଭଳି ବୃଦ୍ଧଙ୍କୁ ଏହି ସୁବିଧାରୁ ବଞ୍ଚିତ ରଖାଯାଉଛି କାହିଁକି? ପଞ୍ଚାୟତ ସ୍ତରରେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ତ୍ରୁଟି ରହିଛି ନା ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି, ତାହାର ନିରପେକ୍ଷ ତଦନ୍ତ ଆବଶ୍ୟକ।
ଆହୁରି ଚିନ୍ତାଜନକ ବିଷୟ ହେଉଛି, ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ସରକାରୀ କାର୍ଯ୍ୟାଳୟରେ କେତେକ କର୍ମଚାରୀ ଲୋକଙ୍କ କାମକୁ ପ୍ରାଥମିକତା ଦେବା ପରିବର୍ତ୍ତେ ମୋବାଇଲରେ ରିଲ୍ସ ତିଆରି କରିବାରେ ବ୍ୟସ୍ତ ରହୁଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଯଦି ଏହି ଅଭିଯୋଗ ସତ୍ୟ, ତେବେ ଏହା କେବଳ କାର୍ଯ୍ୟରେ ଅବହେଳା ନୁହେଁ, ବରଂ ଜନସାଧାରଣଙ୍କ ପ୍ରତି ଥିବା ଦାୟିତ୍ୱବୋଧ ଉପରେ ମଧ୍ୟ ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି।
ସରକାରୀ ଯୋଜନାର ସଫଳତା କେବଳ ବିଜ୍ଞାପନ, ଭାଷଣ ଓ ଫାଇଲରେ ସୀମିତ ରହିଲେ ଚଳିବ ନାହିଁ। ଏହାର ସୁଫଳ ଶେଷ ଧାଡ଼ିରେ ଥିବା ଅସହାୟ ମଣିଷଟି ପାଖରେ ପହଞ୍ଚିବା ଦରକାର। ବୃଦ୍ଧାବସ୍ଥାରେ ଭତ୍ତା ପାଇଁ ଯଦି ଜଣେ ଅସହାୟ ନାଗରିକଙ୍କୁ ଦ୍ୱାରେ ଦ୍ୱାରେ ହାତ ପତାଇବାକୁ ପଡ଼େ, ତେବେ ଜନକଲ୍ୟାଣକାରୀ ଶାସନର ମୂଲ୍ୟବୋଧ କେଉଁଠି ରହିଲା?
ଏବେ ସାଧାରଣରେ ପ୍ରଶ୍ନ ଉଠୁଛି—ତାଡେ ଗଣ୍ଡ ଓ ଲକ୍ଷମୁ ଗଣ୍ଡଙ୍କ ଦୁଃଖ କେବେ ବୁଝିବେ ସରକାର ଓ ପ୍ରଶାସନ? କେବଳ ଯୋଜନା ଘୋଷଣା କଲେ ହେବ ନାହିଁ, ଯୋଗ୍ୟ ଲୋକଙ୍କୁ ତାହାର ସୁଫଳ ଦେବା ମଧ୍ୟ ସରକାରଙ୍କ ଦାୟିତ୍ୱ। ତେଣୁ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ସମ୍ପୃକ୍ତ ପଞ୍ଚାୟତ କର୍ତ୍ତୃପକ୍ଷ ତୁରନ୍ତ ଘଟଣାର ତଦନ୍ତ କରି ଯୋଗ୍ୟତା ଅନୁଯାୟୀ ଉଭୟ ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନର ବ୍ୟବସ୍ଥା କରିବା ସହ ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
