
ବାଲିଗୁଡ଼ା : କେବଳ ପାଠପଢ଼ା ନୁହେଁ, କ୍ରୀଡ଼ା ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ହୋଇଥାଏ। ଖେଳ ପଡ଼ିଆ ରେ ପ୍ରତିଯୋଗିତା, ଶୃଙ୍ଖଳା ଓ ସଫଳତାର ମନ୍ତ୍ର ଶିଖିଲେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିବାର ଆତ୍ମ ବିଶ୍ୱାସ ଜନ୍ମ ନିଏ। ଏଭଳି ଏକ ଉଦ୍ଦେଶ୍ୟ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲ ପକ୍ଷରୁ ଆୟୋଜିତ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଯାପିତ ହୋଇଯାଇଛି। କ୍ରୀଡ଼ା ଉତ୍ସବର ଉଦ୍ଘାଟନୀ ସମାରୋହରେ ତୀର୍ଥବାସୀ ଘଡ଼ାଇ ଓ ପ୍ରକାଶ ଚନ୍ଦ୍ର ନାୟକ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କ୍ରୀଡ଼ା କେବଳ ମନୋରଞ୍ଜନ ର ମାଧ୍ୟମ ନୁହେଁ, ବରଂ ଶାରୀରିକ ସୁସ୍ଥତା ସହ ମାନସିକ ଦୃଢ଼ତା, ନେତୃତ୍ୱ ଗୁଣ ଓ ଶୃଙ୍ଖଳାବୋଧ ସୃଷ୍ଟି କରିବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ମତ ପ୍ରକାଶ ପାଇଥିଲା। ଏହି ଦୁଇଦିନିଆ ଆୟୋଜନରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇ ନିଜ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।
ଖେଳପଡ଼ିଆରେ ପ୍ରତିଯୋଗୀ ମାନଙ୍କ ଉତ୍ସାହ, ଉଦ୍ୟମ ଓ ପ୍ରତିଦ୍ୱନ୍ଦ୍ୱିତା ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା। ବିଜୟ ହାସଲ କରିବା ସହ ପରାଜୟକୁ ସ୍ୱୀକାର କରିବାର ମନୋଭାବ ମଧ୍ୟ ଏହି ଉତ୍ସବରୁ ଶିକ୍ଷା ମିଳିଥିଲା। ଏଥିସହ ସହଯୋଗ, ଏକତା ଓ ଦଳଗତ ମନୋଭାବର ଏକ ସୁନ୍ଦର ଉଦାହରଣ ପ୍ରତିଫଳିତ ହୋଇଥିଲା। କ୍ରୀଡ଼ା ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ବକ୍ସି ଓ କାହ୍ନା ଡାକୁଆ ସୁଚାରୁ ରୂପେ ପରିଚାଳନା କରିଥିଲେ। ଉଦ୍ଯାପନୀ ସମାରୋହରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଯୋଗଦେଇ ଦୁଇଦିନିଆ କ୍ରୀଡ଼ା ଉତ୍ସବର ଉଦ୍ଯାପନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଇଂ. ଅଭିଜିତ ମିଶ୍ର ଓ ଅଧ୍ୟକ୍ଷ ରବି ନାରାୟଣ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ପିଲାଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ସହ ସେମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଉତ୍ତମ ଖେଳାଳି ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବା ଦିଗରେ ବିଦ୍ୟାଳୟର ଏହି ପ୍ରୟାସକୁ ଅଭିଭାବକ ଓ ଶିକ୍ଷାପ୍ରେମୀ ମହଲରେ ସ୍ୱାଗତ କରାଯାଇଛି।
