ରାଜ୍ୟ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ: ‘ଚତୁର୍ଥ ସ୍ତମ୍ଭ ସେତୁ କେତେ ସୁଦୃଢ଼’ ଶୀର୍ଷକ ଆଲୋଚନାଚକ୍ର

kalipuja

ବ୍ରହ୍ମପୁର, ୧୬/୧୧/୨୦୨୬: ଜାତୀୟ ପ୍ରେସ୍ ଦିବସ ଅବସରରେ ଆଜି ରାଜ୍ୟ ସାମ୍ବାଦିକ ସଂଘ (SUJ), ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବ୍ରହ୍ମପୁର ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷଠାରେ ଏକ ବର୍ଣ୍ଣାଢ଼୍ୟ ସମାରୋହ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂଘର ଗଞ୍ଜାମ ଜିଲ୍ଲା ସଭାପତି ବିଶ୍ୱନାଥ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରଫେସର ଡ. ବନ୍ଦିତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ସଭାରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ଶିକ୍ଷାବିତ୍ ଲିପିକା ନାୟକ, ରାଜ୍ୟ ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ହେମାଙ୍ଗ ପ୍ରସାଦ ରାଉଳ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ସୁରଜିତ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ “ଚତୁର୍ଥ ସ୍ତମ୍ଭ ସେତୁ କେତେ ସୁଦୃଢ଼” ଶୀର୍ଷକ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ରାଧାଶ୍ୟାମ ଆଚାର୍ଯ୍ୟ, ସାମ୍ବାଦିକ ଶାନ୍ତନୁ ରଣା ଏବଂ ସାମ୍ବାଦିକା ରଶ୍ମିତା ପାଣିଗ୍ରାହୀ ଅଂଶଗ୍ରହଣ କରି ବର୍ତ୍ତମାନ ସମୟରେ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ତଥା କ୍ଷେତ୍ରସ୍ତରରେ ଖବର ସଂଗ୍ରହ ଓ ପ୍ରସାରଣ ବେଳେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। ଅତିଥିମାନେ ସାମ୍ବାଦିକମାନଙ୍କ ସୁରକ୍ଷା ଏବଂ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇଥିଲେ।

ଶିକ୍ଷାବିତ୍ ଲିପିକା ନାୟକ ନିଜ ଅଭିଭାଷଣରେ ସାମ୍ବାଦିକମାନଙ୍କ ମନୋବଳ ବଢ଼ାଇବା ସହ ସମାଜକୁ ଦିଗଦର୍ଶନ ଦେଲାଭଳି ସୁସ୍ଥ ସମ୍ବାଦ ପରିବେଷଣ କରିବାକୁ ପ୍ରେରଣା ଦେଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନର ପ୍ରତିଯୋଗିତାମୂଳକ ଯୁଗରେ କେବଳ ଟିଆର୍‌ପି (TRP) ପଛରେ ନ ଗୋଡ଼ାଇ ସତ୍ୟ ଏବଂ ନିଷ୍ଠାପର ଭାବେ ପ୍ରକୃତ ଘଟଣାକୁ ଲୋକଲୋଚନକୁ ଆଣିବା ଅତ୍ୟନ୍ତ ଜରୁରୀ।

ସାମାଜିକ ଦାୟିତ୍ୱବୋଧର ନିଦର୍ଶନ ସ୍ୱରୂପ, ନିକଟରେ ହୋଇଥିବା ‘ଅର୍ଣ୍ଣବ’ ବାତ୍ୟା ସମୟରେ ଦୁର୍ଦ୍ଦିନରେ ଥିବା ଲୋକଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଥିବା ବ୍ରହ୍ମପୁରର ଦୁଇ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ— ‘କାହ୍ନା ଚାରିଟେବୁଲ ଟ୍ରଷ୍ଟ’ ଏବଂ ‘ନୀଳକଣ୍ଠେଶ୍ୱର ସେବା ସମିତି’କୁ ସଂଘ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ସଂଘର ସାଧାରଣ ସମ୍ପାଦକ ଦିଗାମ୍ବର ମହାରଣା ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର କୋଷାଧ୍ୟକ୍ଷ ନୀଳାଞ୍ଚଳ ସାହୁ, ସଦସ୍ୟ ଈଶ୍ୱର ସେଠୀ, ସମୀର ରଥ, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସୀମାଞ୍ଚଳ ସାହୁ, ନାଗେଶୁ ପାତ୍ର, ହିମାଂଶୁ ପାଢ଼ୀ ଏବଂ ସନ୍ତୋଷ ପାଳଙ୍କ ସମେତ ଜିଲ୍ଲାର ବହୁ ସାମ୍ବାଦିକ ଓ ସଂଘର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ad-week
Leave A Reply

Your email address will not be published.