ବିଜେପି ସାଂସଦଙ୍କ ଭାଇ ନାଁରେ କାଠ ଚୋରି ମାମଲା…

add-all

IMAGE_1703505805

ଆଇନ ଜାଲରେ ଫସିଲେ ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ମାମଲରେ ଟାର୍ଗେଟ୍‌ରେ ଥିବା ବିଜେପି ସାଂସଦ ପ୍ରତାପ ସିମ୍‌ହାଙ୍କ ଭାଇ। କାଠ ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିନା ଅନୁମତିରେ ପ୍ରାୟ ୧୨୦ଟି ଗଛ କାଟି ଦେଇଥିବା ନେଇ ବିକ୍ରମ ସିମ୍‌ହା ନାଁରେ ବନବିଭାଗ ଏଫ୍‌ଆଇଆର୍ ରୁଜୁ କରିଛି।

ସୂଚନା ମୁତାବକ, ତହସିଲଦାର ମମତା ଗାଁ ପରିଦର୍ଶନରେ ଯାଇଥିବା ବେଳେ ବିନା ବନବିଭାଗର ଅନୁମତିରେ ଗଛ କଟା ଚାଲିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ନିଜ ଅଧିକାରୀଙ୍କୁ ସତର୍କ କରାଇଥିଲେ। ଏଥିସହ ବିକ୍ରମ ସିମ୍‌ହାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଥିଲେ। କର୍ଣ୍ଣାଟକର ହାସନ ଜିଲ୍ଲାରେ ଥିବା ଗାଁରୁ ବିକ୍ରମ ସିମ୍‌ହା ବିନା ଅନୁମତିରେ ୧୨୦ଟି ଗଛ କାଟି ଦେଇଥିବା ଓ କାଠ ଚୋରା ଚାଲାଣ କରୁଥିବା ନେଇ ଅଭିଯୋଗ ହୋଇଛି। ରାଜ୍ୟ ବନ ବିଭାଗ ତାଙ୍କ ବିରୋଧରେ ମାମଲା ରୁଜୁ ତଦନ୍ତ ଜାରି ରଖିଛି।

ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଈଶ୍ୱର ଖଣ୍ଡେର କହିଛନ୍ତି, ବିକ୍ରମ ସିମ୍‌ହା ୧୫ ଦିନରୁ ଅଧିକ ସମୟ ଧରି ଗଛ କାଟିବାରେ ସମ୍ପୃକ୍ତ ଥିଲେ। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖଣ୍ଡେରଙ୍କ ଅନୁଯାୟୀ ବିକ୍ରମ ସିମହା ଅଦା ଚାଷ ପାଇଁ ସରକାରଙ୍କ ସହ ଏକ ଜମି ଚୁକ୍ତି କରିଥିଲେ ଏବଂ ଲିଜରେ ଜଙ୍ଗଲ ଜମି ଅଧିଗ୍ରହଣ କରିଥିଲେ। କିନ୍ତୁ ସେ ଅଦା ଚାଷ କରିବା ବଦଳରେ ଜଙ୍ଗଲରୁ ଅବାଧରେ ଗଛ କାଟିବା ଆରମ୍ଭ କରିଥିବା ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିକ୍ରମ ସିମ୍‌ହାଙ୍କ ଭାଇ ପ୍ରତାପ ସିମ୍‌ହା ମୈସୁର ଲୋକସଭା ଆସନରୁ ବିଜେପି ସାଂସଦ ଅଛନ୍ତି। ଚଳିତ ମାସ ୧୩ ତାରିଖରେ ସାଗର ଶର୍ମା ଏବଂ ମନୋରଂଜନ ଡି ନାମକ ଦୁଇଜଣ ଯୁବକ ତାଙ୍କ ଦ୍ୱାରା ଦିଆଯାଇଥିବା ପାସ୍‌ରେ ସଂସଦ ଭିତରକୁ ପଶିଥିଲେ। ଏମାନେ ଲୋକସଭାର ଭିଜିଟର୍ସ ଗ୍ୟାଲେରୀରୁ ଡେଇଁପଡି ଗୃହ ଭିତରେ କେନ୍‌ ଦ୍ୱାରା ହଳଦିଆ ରଙ୍ଗର ଧୂଆଁ ଛାଡିଥିଲେ। ତେଣୁ ସଂସଦ ସୁରକ୍ଷାରେ ବଡଧରଣ ତ୍ରୁଟି ହୋଇଥିଲା। ଏହାପରେ ବିରୋଧୀ ବିଜେପି ସାଂସଦ ପ୍ରତାପ ସିମହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଦାବି କରିଥିଲେ।

ad-week
Leave A Reply

Your email address will not be published.