ମଣିପୁରରେ ଥମୁନି ହିଂସା; ପିତାପୁତ୍ର ସମେତ ୪ ଜଣଙ୍କୁ ଅପହରଣ ପରେ ହତ୍ୟା

add-all

ପୁଣି ଅଶାନ୍ତ ହୋଇ ଉଠିଛି ମଣିପୁର। ହୋଇଛି ରକ୍ତପାତ । ଗଡ଼ିଛି ନିରୀହ ମୁଣ୍ଡ। ଆତଙ୍କବାଦୀମାନେ ୪ ନିରୀହ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ଗତ ବୁଧବାରଠୁ ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ୪ ଜଣ ନିଖୋଜ ଥିବା ବେଳେ ଗତକାଲି ସେମାନଙ୍କ ମୃତଦେହ ବିଷ୍ଣୁପୁର ଓ ଚୁରଚାନ୍ଦପୁର ଜିଲ୍ଲା ସୀମାରୁ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ବାପପୁଅ ବି ଥିବା ଜଣାଯାଇଛି। ମୃତକମାନେ ହେଲେ ଦାରା ସିଂହ, ଇବୋମା ସିଂହ, ରୋମେନ ସିଂହ ଏବଂ ଆନନ୍ଦ ସିଂହ ।

ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ୪ ଜଣ ଗତ ବୁଧବାର ଚୁରଚାନ୍ଦପୁର ଜିଲ୍ଲା ନିକଟବର୍ତ୍ତୀ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ଏହାପରଠୁ ସେମାନଙ୍କ ପତ୍ତା ମିଳୁ ନ ଥିଲା।ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ଆତଙ୍କବାଦୀମାନେ ସେମାନଙ୍କୁ ବନ୍ଦୀ କରିନେଇଥିବା ପୁଲିସ ସନ୍ଦେହ କରିଥିଲା।

ବହୁ ଖୋଜାଖୋଜି ପରେ ୪ ମୃତଦେହ ଗତକାଲି ବିଷ୍ଣୁପୁର ଜିଲ୍ଲାର କୁମ୍ବିଠୁ ଉଦ୍ଧାର କରାଯାଇଛି। ପ୍ରଥମେ ମୃତଦେହଗୁଡ଼ିକର ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ସୂଚନା ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପରିବାର ଲୋକେ ଏହାକୁ ଚିହ୍ନଟ କରିବା ପରେ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଏପରି ଅମାନବୀୟ କାଣ୍ଡ ଘଟାଇଥିବା ଆତଙ୍କବାଦୀଙ୍କୁ ଖୁବ୍‌ ଶୀଘ୍ର ଧରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି। ଏହି ଘଟଣାକୁ ନେଇ ମଣିପୁରରେ ପୁଣି ଥରେ ହିଂସା ତେଜିବାରେ ଲାଗିଛି।

ad-week
Leave A Reply

Your email address will not be published.