ବିଲ୍‌କିସ୍‌ ବାନୋ ମାମଲାରେ ଆତ୍ମସମର୍ପଣ ଅବଧି ବଢ଼ାଇବାକୁ ମନା କରିଦେଲେ ସୁପ୍ରିମ୍‌କୋର୍ଟ

add-all

Untitled-122

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋଙ୍କ ସହିତ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ ଜଣ ଲୋକଙ୍କୁ ହତ୍ୟା କରି ଜେଲ୍‌ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାର ଦେଇଥିବା ଆଦେଶକୁ ଜାନୁଆରି ୮ ତାରିଖରେ ସୁପ୍ରିମ୍‌କୋର୍ଟ ରଦ୍ଦ କରି ଦେଇଥିଲେ।

ତା’ପରେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଅତିରିକ୍ତ ସମୟ ମାଗିଥିଲେ ୩ ଜଣ ଦୋଷୀ। ହେଲେ ସେ ଆବେଦନକୁ ବି ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। କୋର୍ଟ ସ୍ଥିର କରିଥିବା ମୂଳ ସମୟସୀମା (ଜାନୁଆରି ୨୧) ସୁଦ୍ଧା ସମସ୍ତ ୧୧ ଦୋଷୀଙ୍କୁ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆତ୍ମସମର୍ପଣ ପାଇଁ ସମୟ ବଢ଼ାଇବାକୁ ଚାହୁଁଥିବା ଦୋଷୀଙ୍କ ଦ୍ୱାରା ଦର୍ଶାଯାଇଥିବା କାରଣଗୁଡ଼ିକ ଯୁକ୍ତିଯୁକ୍ତ ନୁହେଁ।

ଗତକାଲି ବିଲକିସ୍ ବାନୋ ମାମଲାରେ ତିନିଜଣ ଦୋଷୀ ସୁପ୍ରିମକୋର୍ଟରେ ସେମାନଙ୍କ ଆତ୍ମସମର୍ପଣ ସମୟସୀମାକୁ ୪ ସପ୍ତାହରୁ ୬ ସପ୍ତାହକୁ ବୃଦ୍ଧି କରିବାକୁ ଆବେଦନ କରିଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବା ଗୋବିନ୍ଦଭାଇ ନିଜ ଯାଚିକାରେ ତାଙ୍କ ୮୮ ବର୍ଷୀୟ ପିତା ଏବଂ ୭୫ ବର୍ଷୀୟା ମାଆଙ୍କର ଦେଖାଶୁଣା କରିବାକୁ ସେ ଏକମାତ୍ର ତଦାରଖକାରୀ ବୋଲି ଦର୍ଶାଇଥିଲେ। ସେହିପରି ଅନ୍ୟ ଜଣେ ଦୋଷୀ ରମେଶ ରୂପାଭାଇ ଚନ୍ଦନା ନିଜ ପୁଅର ବାହାଘର ଆୟୋଜନ ପାଇଁ ସମୟ ଆବଶ୍ୟକ ବୋଲି ଦର୍ଶାଇ ସମୟ ମାଗିଥିବା ବେଳେ ତୃତୀୟ ଦୋଷୀ ମିତେଶ ଚିମାନଲାଲ ଭିନ୍ନ ଏକ କାରଣ ଦର୍ଶାଇଥିଲେ। ସେ ତାଙ୍କ ଯାଚିକାରେ ଦର୍ଶାଇଥିଲେ ଯେ ଶୀତକାଳୀନ ଅମଳ ପାଇଁ ତାଙ୍କର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସେ ଆତ୍ମସମର୍ପଣ କରିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରିବାକୁ ଚାହୁଁଛନ୍ତି।

ad-week
Leave A Reply

Your email address will not be published.