୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବିଲ୍‌ଡର ଗିରଫ…

add-all

ଭୁବନେଶ୍ବର : ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲ୍ୟୁ ଜଣେ ବିଲ୍‌ଡରଙ୍କୁ ଗିରଫ କରିଛି। ତାଙ୍କ ନାଁ ଦୀପକ କୁମାର ଛୋଟରାୟ। ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗରେ।
ଅନୀଲ କୁମାର ପଣ୍ଡା ଓ ଅନ୍ୟ ୩୪ ଜଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଦୀପକ କୁମାର ଛୋଟରାୟଙ୍କୁ ଗିରଫ କରିଛି।
ପାତ୍ରପଡ଼ାରେ ପ୍ଲଟ ଦେବାକୁ କହି ଜିଏଲ୍‌ଫ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ୍ ନାମକ ଏକ କମ୍ପାନୀ ଏହି ଅଭିଯୋଗକାରୀମାନଙ୍କ ଠାରୁ ଭିନ୍ନ ଭିନ୍ନ ପରିମାଣର ଟଙ୍କା ନେଇଥିଲା। ଏହି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ହେଉଛନ୍ତି ଅଭିଯୁକ୍ତ ଦୀପକ କୁମାର ଛୋଟରାୟ।
ଅଭିଯୋଗକାରୀଙ୍କ ଠାରୁ ଟଙ୍କା ନେବାର କିଛି ଦିନ ପରେ କଂପାନୀ ସେମାନଙ୍କୁ କହିଥିଲା ଯେ ପାତ୍ରପଡ଼ା ଅଞ୍ଚଳରେ ଜମିର ବ୍ୟବସ୍ଥା ହୋଇପାରିଲା ନାହିଁ। ତେଣୁ ସେମାନଙ୍କୁ ଗାଡ଼କଣରେ ଫ୍ଲାଟ ଯୋଗାଇ ଦିଆଯିବ ବୋଲି କହିଥିଲା କଂପାନୀ। ଏହା ପରେ ଏହି ୩୫ ଅଭିଯୋଗକାରୀଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲେଖାଏ ନେଇଥିଲା। ୨୦୧୬ରୁ ୨୦୧୯ ମଧ୍ୟରେ କଂପାନୀ ଏହି ଟଙ୍କା ନେଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କମ୍ପାନୀ ସେମାନଙ୍କୁ ପ୍ଲଟ୍ କି ଫ୍ଲାଟ୍ ଦେଇ ନାହିଁ। ସେହିପରି ଟଙ୍କା ମଧ୍ୟ ଫେରାଇ ନାହିଁ।
ଇଓଡବ୍ଲ୍ୟୁ କହିଛି ଯେ ନିଜ ପାଖରେ କୌଣସି ଜମି ନଥାଇ ଜିଏଲ୍‌ଫ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ଦୀପକ କୁମାର ଛୋଟରାୟ ଲୋକଙ୍କୁ ମିଛ କହି ଟଙ୍କା ନେଇଥିଲେ। ନକଲି କାଗଜପତ୍ର ଦେଇ କଂପାନୀ ଲୋକଙ୍କୁ ଠକିଥିଲା। କଂପାନୀ ସେମାନଙ୍କଠାରୁ ୪ କୋଟିରୁ ଅଧିକ ଟଙ୍କା ନେଇ ଯାଇଥିଲା।
ଏହି ଘଟଣାରେ ଇଓଡବ୍ଲ୍ୟୁ ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.