ରାଜ୍ୟ ବାହାରେ ନାବାଳିକାଙ୍କୁ ବନ୍ଧକ ଘଟଣା: ବନ୍ଧା ହେଲେ ଦାଦନ ସର୍ଦ୍ଦାର

add-all

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ସୁଲେକେଲା ଗାଁର ଜଣେ ନାବାଳିକାଙ୍କୁ ତେଲଙ୍ଗାନାରେ ବନ୍ଧକ ରଖିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏହି ଘଟଣାର ଅଭିଯୁକ୍ତ ଦାଦନ ସର୍ଦ୍ଦାରଙ୍କୁ ବେଲପଡ଼ା ପୁଲିସ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ତୁରକେଲା ଥାନା ତେନ୍ତୁଳୀଖୁଣ୍ଟି ଗାଁର ସମ୍ଭାରୁ ବନଛୋର। ଘଟଣା ଦିନ ଠାରୁ ସେ ଫେରାର ଥିଲେ। ହେଲେ ପୁଲିସ୍‌ ତାଙ୍କୁ ଧରିବାରେ ସଫଳ ହୋଇଛି। କିନ୍ତୁ ଏବେ ବି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଇଟାଭାଟି ମାଲିକ ଫେରାର ରହିଛନ୍ତି।
ଫେବୃଆରୀ ୪ ତାରିଖ ଦିନ ସୁଲେକେଲାର ଅସୁସ୍ଥ କାହ୍ନୁ ମଳିକଙ୍କୁ ଗାଁକୁ ପଠାଇ ତାଙ୍କ ୧୧ ବର୍ଷୀୟ ଝିଅଙ୍କୁ ତେଲଙ୍ଗାନାରେ ବନ୍ଧକ ରଖିଥିଲେ ଜଣେ ଇଟାଭାଟି ମାଲିକ। ଟଙ୍କା ପାଇଁ ନାବାଳିକାଙ୍କୁ ବନ୍ଧକ ରଖାଯାଇଥିବାରୁ ପରିବାର ଲୋକ କ’ଣ କରିବେ କିଛି ବି ଜାଣି ପାରି ନଥିଲେ।
ଶେଷରେ ଝିଅକୁ ମୁକୁଳାଇବା ପାଇଁ ସେମାନେ ସର୍ଦ୍ଦାର ପାଖକୁ ୫୦ ହଜାର ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ମଧ୍ୟ କିଛି ବି ଲାଭ ମିଳି ନଥିଲା। ଇଟାଭାଟି ମାଲିକା ଝିଅଟିକୁ ଛାଡ଼ି ନଥିଲେ।
ଏପଟେ ଝିଅକୁ ଝୁରିଝୁରି ଅସୁସ୍ଥ କାହ୍ନୁ ପ୍ରାଣ ମଧ୍ୟ ହରାଇଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ପୁଲିସ୍‌ ତେଲଙ୍ଗାନାରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା।
ଦାଦନ ଯନ୍ତ୍ରଣା ସହ ଘଟଣାକୁ ଅତ୍ୟନ୍ତ ହାଲୁକା କରିବା ପାଇଁ ପୁଲିସ୍‌ ଯୋଜନା କରିଥିଲା। ନାବାଳିକା ଜଣଙ୍କ କୁଆଡ଼େ ତାଙ୍କ ମାମୁ ଘରେ ଥିଲେ ବୋଲି ପୁଲିସ୍‌ ଗଣମାଧ୍ୟମ ଆଗରେ କହିଥିଲେ। ତଥାପି ବିବାଦ କମି ନଥିଲା।
ବିବାଦ ବଢ଼ୁଥିବା ବେଳେ ଦାଦନ ସର୍ଦ୍ଦାର ଫେରାର ହୋଇ ଯାଇଥିଲେ। କିନ୍ତୁ ଶେଷରେ ପୁଲିସ୍‌ ଆଜି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ ପଠାଯିବ ବୋଲି ବେଲପଡ଼ା ଆଇଆଇସି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.