ଆପର ବଡ଼ ବିଜୟ: ଦଳୀୟ ପ୍ରାର୍ଥୀଙ୍କୁ ମେୟର ଘୋଷଣା କଲେ ସୁପ୍ରିମକୋର୍ଟ

add-all

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଲାଗିଥିବା ବିବାଦରେ ସୁପ୍ରିମକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଆପ ପକ୍ଷରୁ ମେୟର ନିର୍ବାଚନ ଲଢ଼ୁଥିବା କୁଲଦୀପ କୁମାରଙ୍କୁ ସର୍ବୋଚ୍ଚ ଅଦାଲତ ବିଜେତା ଘୋଷଣା କରିଛନ୍ତି। ଏହାର ଅର୍ଥ କୁଲଦୀପ ଚଣ୍ଡିଗଡ଼ ମେୟର ଭାବେ ଶପଥ ନେବେ। କୁଲଦୀପଙ୍କୁ ମେୟର ଘୋଷଣା କରି ପୂର୍ବରୁ ଜାରି ହୋଇଥିବା ନିର୍ବାଚନ ଫଳାଫଳକୁ ବାତିଲ କରି ଦେଇଛନ୍ତି। 

ଜାନୁଆରୀ ଶେଷ ଭାଗରେ ହୋଇଥିବା ଚଣ୍ଡିଗଡ଼ ମେୟର ନିର୍ବାଚନରେ କୁଲଦୀପଙ୍କ ବିରୋଧରେ ବିଜେପି ମନୋଜ ସୋନକରଙ୍କୁ ପ୍ରାର୍ଥୀ କରିଥିଲା। ରିଟର୍ଣ୍ଣ ଅଫିସର ଅନୀଲ ମସିହ ଜାଣୁଶୁଣି ଆପ୍‌ର ୮ କାଉନସିଲରଙ୍କ ଭୋଟ ନାକଚ କରି ବିଜେପି ପ୍ରାର୍ଥୀଙ୍କୁ ମେୟର ଘୋଷଣା କରିଥିଲେ। ହେଲେ ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରି ଅନୀଲଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏଥିସହ ସେ ନାକଚ କରିଥିବା ୮ ଭୋଟକୁ ବୈଧକ ଘୋଷଣା କରିଛନ୍ତି।

୮ ଭୋଟ ବୈଧ ଘୋଷଣା ହେବା ପରେ ଭୋଟ ଗଣତି କରାଯାଇଥିଲା। ଗଣତି ଆପ୍‌ ସପକ୍ଷରେ ଯିବାରୁ ସୁପ୍ରିମକୋର୍ଟ କୁଲଦୀପଙ୍କୁ ବିଜୟୀ ଘୋଷଣା କରିଛନ୍ତି। ଆପ ସପକ୍ଷରେ ପଡ଼ିଥିବା ୮ ଭୋଟକୁ ଅନୀଲ ଜାଣିଶୁଣି ବିକୃତ କରିଥିଲେ ବୋଲି ସେଠାରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିଲା। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ସର୍ବୋଚ୍ଚ ଅଦାଲତ ଆପ ପ୍ରାର୍ଥୀଙ୍କୁ ମେୟର ଭାବେ କାର୍ଯ୍ୟ କରିବାକୁ କହିଛନ୍ତି। 

ଏଥିସହ ଅନୀଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ମଧ୍ୟ ଚାଲିଥିବାର ଆଶଙ୍କା ରହିଛି। କାରଣ ଆଜି ସର୍ବୋଚ୍ଚ ଅଦାଲତ ଅନୀଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ତାଙ୍କୁ ୩ ସପ୍ତାହ ମଧ୍ୟରେ ନୋଟିସର ଜବାବ ଦେବାକୁ କୁହାଯାଇଛି। କେଉଁ ପରିସ୍ଥିତିରେ ସେ ଆପ ସପକ୍ଷରେ ଥିବା ୮ କାଉନସିଲରଙ୍କ ଭୋଟକୁ ନାକଚ କଲେ, ତାଙ୍କୁ ସେ ବିଷୟରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। 

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ନାକଚ ହୋଇଥିବା ୮ ବାଲଟ ପେପରର ପୁନଃ ଯାଞ୍ଚ କରିଥିଲେ। ବାଲଟ ପେପର ଗୁଡ଼ିକରେ ଅତିରିକ୍ତ ଚିହ୍ନ ଥିବା ଖଣ୍ଡପୀଠ ଜାଣିବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ଉପରେ ଜୋରଦାର ବର୍ଷିଥିଲେ।

କୋର୍ଟ କହିଥିଲେ, ନାକଚ ହୋଇଥିବା ସମସ୍ତ ୮ ଭୋଟ ଆପ୍‌ ଓ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ରହିଥିଲା। ଏହି ୮ଟି ବାଲଟ ପେପରରେ ଅତିରିକ୍ତ ଚିହ୍ନ ରହିଛି। ସମସ୍ତ ଭୋଟ ପୁନଃ ଗଣତି ହେବା ଦରକାର। ନାକଚ ହୋଇଥିବା ୮ ଭୋଟକୁ ବୈଧ ଭାବେ ବିବେଚନା କରାଯିବ। ସମସ୍ତ ଭୋଟକୁ ଗଣତି କରି ରେଜଲ୍ଟ ପ୍ରକାଶ କରିବା ସପକ୍ଷରେ କୋର୍ଟ ମତ ରଖିଥିଲେ। 

ad-week
Leave A Reply

Your email address will not be published.