କହିବାକୁ ଦିଆଗଲାନି, ସଭା ଅଧାରୁ ଉଠି ଆସିଲେ ନରସିଂହ ମିଶ୍ର

add-all

ବଲାଙ୍ଗିର : ଆଜି ଲୋକାର୍ପିତ ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ର ସ୍ଥାୟୀ କୋଠା। ହେଲେ ସେହି ସଭାରେ ସ୍ଥାନୀୟ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କୁ କହିବାକୁ ଦିଆଗଲା ନାହିଁ। ଯେଉଁଥିପାଇଁ ସେ ସଭା ଅଧାରୁ ଉଠି ପଳାଇ ଆସିଥିଲେ। ଏହାକୁ ନେଇ ବଲାଙ୍ଗିର ରାଜନୀତି ସରଗରମ ହୋଇଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, କିଏ ଗଲେ କିଏ ନଗଲେ ସେଇଟା ଆପଣମାନେ ଦେଖିଥିବେ।
ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ର ସ୍ଥାୟୀ କୋଠା ଆଜି ଲୋକାର୍ପିତ ହୋଇଛି। ଏଥିପାଇଁ ଆୟୋଜିତ ହୋଇଥିଲା ଭବ୍ୟ ସଭା। ଉକ୍ତ ସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲାର ବିଜେଡି ବିଧାୟକ, ବରିଷ୍ଠ କର୍ମକର୍ତ୍ତା ଓ ବଲାଙ୍ଗିର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ। ଭିଡିଓ କନ୍‌ଫରେନ୍ସିଂରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌।
ମେଡ଼ିକାଲ୍‌ର ସ୍ଥାୟୀ କୋଠା ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଓ ଭି.କେ ପାଣ୍ଡିଆନ୍‌ ଭାଷଣ ଦେଇଥିଲେ। ତା’ପରେ ଜଣେ ପରେ ଜଣେ ବିଜେଡି ନେତା ମଞ୍ଚରେ ଭାଷଣ ଦେଇଥିଲେ। ହେଲେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କୁ ଭାଷଣ ଦେବାକୁ ଅନୁମତି ଦିଆଗଲା ନାହିଁ। ଯେଉଁଥିପାଇଁ ମଞ୍ଚରୁ ଓହ୍ଲାଇ ଆସିଥିଲେ ନିରସିଂହ ମିଶ୍ର।
ଗଣମାଧ୍ୟମକୁ ନରସିଂହ ମିଶ୍ର କହିଛନ୍ତି, ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ତଥାପି ମୁଖ୍ୟମନ୍ତ୍ରୀ ତାକୁ ଉଦ୍‌ଘାଟନ କରିଛନ୍ତି। ଏଇଟା ଭଲ କଥା ନୁହେଁ। ଏହା ନିଶ୍ଚିତ ଦୁଃଖ ଦାୟକ। କେବଳ ନିର୍ବାଚନକୁ ଆଖି ଆଗରେ ରଖି ଦଳୀୟ ରାଜନୀତି କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍‌ଘାନ କରିଛନ୍ତି। ତଥାପି ସଭାରେ ଯୋଗଦେବା ପାଇଁ ଆସିଥିଲି। ହେଲେ ବଲାଙ୍ଗିର ଭାଇ ଭଉଣୀଙ୍କୁ ଅନମାନିତ କରି ତାଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ କହିବା ପାଇଁ ଦିଆଗଲା ନାହିଁ। କେବଳ ବିଜେଡି ବାଲାଙ୍କୁ ବାଛି ବାଛି କହିବାକୁ ଦିଆଯାଉଛି। ଯେଉଁମାନେ କେବଳ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍‌ଙ୍କର ଗୁଣଗାନ କରୁଛନ୍ତି। ଏମାନେ ବିକାଶ ଚାହୁଁ ନାହାନ୍ତି। ଏମାନେ କେବଳ ଶସ୍ତା ରାଜନୀତି ଚାହୁଁଛନ୍ତି। ଲୋକମାନେ ବୁଝିଲେଣି। ଆସନ୍ତା ନିର୍ବାଚନରେ ଲୋକେ ତାଙ୍କୁ ଜବାବ ଦେବେ। ଯେହେତୁ ମୋତେ କହିବା ପାଇଁ ଦିଆଗଲା ନାହିଁ, ତେଣୁ ପ୍ରତିବାଦ କରି ସଭା ମଞ୍ଚରୁ ଓହ୍ଲାଇ ଆସିଲି। ସଭା ପରିଚାଳନାରେ ସହଯୋଗ କଲି ନାହିଁ ବୋଲି ନରସିଂହ ମିଶ୍ର କହିଛନ୍ତି।
ସେପଟେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, ୨୦୧୩-୧୪ ବର୍ଷରେ ବଲାଙ୍ଗିରରେ ମେଡ଼ିକାଲ୍‌ କଲେଜ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା। ଆଜି ୬୫୦ ବେଡ୍‌ ବିଶିଷ୍ଟ ଟିଚିଂ ହଷ୍ଟେଲ୍‌କୁ ଅନୁମତି ଦିଆଯାଇଛି। ତେଣୁ ଏ ସ୍ଥାନରେ ରାଜନୀତି ନାହିଁ। ବଲାଙ୍ଗିର ଲୋକମାନେ ଉତ୍ସବ ମନାଇବା କଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା କଥା ବୋଲି କଳିକେଶ କହିଛନ୍ତି।
ଅନ୍ୟପକ୍ଷରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, କିଏ ଗଲେ, କିଏ ନଗଲେ ସେଇଟା ଆପଣ ଦେଖିଥିବେ। କିନ୍ତୁ ଆପଣମାନେ ବଲାଙ୍ଗିରରେ ରହୁଛନ୍ତି ଓ ମୁଁ ମଧ୍ୟ ବଲାଙ୍ଗିରରେ ରହୁଛି। ଆଜି ବଲାଙ୍ଗିରରେ ଅଗ୍ରଗତି ହୋଇଛି। ତାହା ଆପଣମାନେ ମାନିବେ ଓ ମୁଁ ମଧ୍ୟ ମାନିବି। କାରଣ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାକୁ ବହୁ ଭଲ ପାଉଛନ୍ତି। ସେଥିପାଇଁ ବଲାଙ୍ଗିର ଜିଲ୍ଲାର ପରିବର୍ତ୍ତନ ଆଣିଛନ୍ତି ବୋଲି ଟୁକୁନି ସାହୁ କହିଛନ୍ତି।

ad-week
Leave A Reply

Your email address will not be published.