ହିଞ୍ଜିଳିକାଟୁ : ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ସକାଶେ ବିଜେଡି ପକ୍ଷରୁ ଏକ କେନ୍ଦ୍ରୀୟ କାର୍ଯ୍ୟାଳୟ ସୋମବାର ହିଞ୍ଜିଳିକାଟୁ ପୌରାଞ୍ଚଳରେ ଉଦଘାଟିତ ହୋଇଯାଇଛି। କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ରିବନ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ଏଥିରେ ହିଞ୍ଜିଳିକାଟୁ ବ୍ଳକ, ପୌରାଞ୍ଚଳ ସମେତ ଶେରଗଡ଼ ବ୍ଳକ ଓ ଏନଏସିର ନେତୃ ସ୍ଥାନୀୟ ବ୍ୟକ୍ତି, ଦଳୀୟ କର୍ମୀ, ଜନ ପ୍ରତିନିଧି ଯୋଗ ଦେଇଥିଲେ। କାର୍ଯ୍ୟାଳୟ ଉଦଘାଟନ ପରେ ଅନୁଷ୍ଠିତ ଏକ ଦଳୀୟ ସଭାରେ ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି, ଅଞ୍ଚଳର ବିକାଶ ପାଇଁ ଅବଦାନ ଓ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକୁ ଉପସ୍ଥାପିତ କରି ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ରେକର୍ଡ ସଂଖ୍ୟକ ମୋଟରେ ବିଜୟୀ କରିବା ପାଇଁ ନେତୃମଣ୍ଡଳୀ ଆହ୍ବାନ ଦେଇଥିଲେ। ଏଥି ସହ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଦଳ ପ୍ରତି ଆକର୍ଷଣ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଦଳୀୟ ନେତୃବୃନ୍ଦ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ଶେରଗଡ଼ ବ୍ଳକ ସଭାପତି ଶରତ ଚନ୍ଦ୍ର ପାତ୍ର, ଯୁବ ସଭାପତି ସନ୍ତୋଷ ପଟ୍ଟନାୟକ, ସଞ୍ଜୟ ପଣ୍ଡା, ମନୋଜ ସାବତ, ବରିଷ୍ଠ ନେତା ଡି ବିଶ୍ବନାଥ, ଏନ ରଘୁନାଥ, ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷା ସରସ୍ଵତୀ ସେଠି, ପୈରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଶେରଗଡ଼ ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ହୀନ ବେହେରା, ଏ. ସୁଦର୍ଶନ, ବି. ଗୀତାଞ୍ଜଳି, ପ୍ରିତି ସାହୁ, ଶିବରାମ ଗୌଡ, ହୃଦୟାନନ୍ଦ ମହାପାତ୍ର, ପ୍ୟାରୀମୋହନ ପାଢି, ପ୍ରଦୀପ କୁମାର ପଣ୍ଡା, ନୀଳମଣି ପଟ୍ଟନାୟକ, ମେଘନାଦ ଦାସ, ସମିର ପ୍ରଧାନଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡିର ଏହି କାର୍ଯ୍ୟାଳୟର ପରିଚାଳନା ଦାୟିତ୍ଵ ଯୁବନେତା ପ୍ୟାରୀମୋହନ ପାଢିଙ୍କୁ ନିଯୁକ୍ତି କରାଯାଇଥିବା ପ୍ରକାଶ ।
