ଦେବଗଡ଼,୪ା୩ ଓଡିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାଶ ଆଜି ଦିନିକିଆ ଦେବଗଡ ଜିଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଦାୟିତ୍ୱ ଗ୍ରହଣର ୩ ମାସ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲା ପରିଦର୍ଶନ କରିବାସହ ସରକାରୀ ଯୋଜନାର ତଦାରଖ କରିଥିବା କହିଛନ୍ତି ରାଜ୍ୟପାଳ ମହୋଦୟ । ଶପଥ ଗ୍ରହଣ ପରେ ଲୋକଙ୍କ ସମସ୍ୟା ଜାଣିବା ପାଇଁ ଇତି ମଧ୍ୟରେ ୨୯ଟି ଜିଲା ପରିଦର୍ଶନ କରିବାପରେ ଶେଷରେ ଆଜି ଦେବଗଡ ଜିଲ୍ଲା ଗସ୍ତରେ ଆସିଥିଲେ । ଗ୍ରାମାଂଚଳର ଦାରିଦ୍ର୍ୟ ଦୂରୀକରଣ ଉଦ୍ଦେଶ୍ୟରେ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଜୀବୀକା ମିଶନ ଶୁଭାରମ୍ଭ କରିଥିଲେ । ଏହା ଦ୍ୱାରା ଗ୍ରାମାଂଚଳର ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନେ ସ୍ୱାବଳମ୍ବୀ ହୋଇପାରିଛନ୍ତି । ଏଥିସହ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ଗଢିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଜନା ରହିଥିବା ସୂଚନା ଦେଇଥିଲେ ମହାମହିମ ରାଜ୍ୟପାଳ ଆଜି ପୂର୍ବାହ୍ନରେ ମହାମହିମ ରାଜ୍ୟପାଳ ଦେବଗଡ ବଡବଗିଚା ଠାରେ ନିର୍ମୀତ ଅସ୍ଥାୟୀ ହେଲିପ୍ୟାଡ୍ରେ ହେଲିକ୍ୟାପଟର ଯୋଗେ ଅବତରଣ କରିବା ପରେ ପ୍ରଧାନପାଟକୁ ଯାଇ ଅଧିଷ୍ଠାତ୍ରୀ ଦେବୀ ମାଁ ପ୍ରଧାନପାଟେଶ୍ୱରୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହାପରେ ବାରକୋଟ ବ୍ଲକର ଘୁରୁଡୁଖମଣ ଗାଁକୁ ଯାଇ ଅଙ୍ଗନୱାଡି କେନ୍ଦ୍ର ପରଦର୍ଶନ ସହ ପୋଷଣ ଯୋଜନାର ସମୀକ୍ଷା କରିଥିଲେ । ବାରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସ୍ୱାସ୍ଥ୍ୟସେବାର ଯାଂଚ କରିବା ସହ ବାରକୋଟ ମିଶନ ଶକ୍ତି ଭବନରେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନଙ୍କୁ ସ୍ୱାବଳମ୍ବୀ କରିବା ପାଇଁ କେନ୍ଦ୍ର ସରକାର ହାତକୁ ନେଇଥିବା ବିଭିନ୍ନ ଯୋଜନା ଉପରେ ସୂଚନା କହିଥିଲେ । ଏହାପରେ ବଳମ କିସାନ ସାହିକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇଥିବା ହିତାଧିକାରୀଙ୍କ ଘରକୁ ଯାଇ ସରକାରୀ ଯୋଜନା କେତେ ପହଂଚିପାରୁଛି ସେ ସବୁର ତଦାରଖ କରିଥିଲେ । ଏହି ଅବସରରେ ପାନୀୟ ଜଳ ସମସ୍ୟା ରହିଥିବାରୁ ତୁରନ୍ତ ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବଳମ୍ଗ୍ରାମ ପଂଚାୟତ କାର୍ଯୟାଳୟରେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାଙ୍କ ସହିତ ଆଲୋଚନା ଅବସରରେ ଜଣେ ମାତୃପିତୃ ହୀନା ଯୁବତୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ । ଶେଷରେ ତିଲେଇବଣି ବ୍ଲକ ବଣିଆକିଲିଣ୍ଡା ଗ୍ରାମ ପଂଚାୟତର କଳାମାଟି ଗ୍ରାମରେ ଥିବା ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ମହାମହିମଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଦେବଗଡ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ, ଜିଲା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ,ଦେବଗଡ ଜିଲା ପରିଷଦର ଉନ୍ନୟନ ତଥା ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଉପ ଜିଲାପାଳ ପରକ୍ଷୀତ ସାହୁ, ଜିଲା ମଙ୍ଗଳ ଅଧିକାରୀ ବିଭୁ ରଞ୍ଜନ ମହାନ୍ତି, ଜିଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ, ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ବିଶ୍ୱ ମୋହନ ମିଶ୍ର, ଆଇଟିଡିଏ ର ପ୍ରକଳ୍ପ ପ୍ରଶାସିକା ସଂଧ୍ୟାରାଣୀ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପଣ୍ଡା, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ ଓ ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
