ଡ୍ରୋନ ଆଟାକ ପରେ ଜଳୁଥିଲା ଜାହାଜ, ୨୩ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

add-all

ନୂଆଦିଲ୍ଲୀ : ମଝି ସମୁଦ୍ରରେ ପରାକ୍ରମ ଦେଖାଇଛି ଭାରତୀୟ ନୌସେନା। ଡ୍ରୋନ ଆକ୍ରମଣ ଯୋଗୁ ଜଳୁଥିବା ଜାହାଜରୁ ୨୩ ଜଣଙ୍କୁ ଉଦ୍ଧାର କରିଛନ୍ତି ନୌସେନାର ବୀର ଯବାନ। ଆକ୍ରମଣ ପରେ ଗୋଟିଏ ପଣ୍ୟବାହୀ ଜାହାଜରେ ଲାଗି ଯାଇଥିଲା ନିଆଁ।
ଭିତରେ ୧୩ ଭାରତୀୟଙ୍କ ସମେତ ଫସି ଯାଇଥିଲେ ୨୩ ଜଣ। ଜାହାଜରେ ଲିବେରିଆ ପତାକା ଲାଗିଥିଲେ ମଧ୍ୟ ଭାରତୀୟ ନୌସେନା ସହାୟତା କରିବାକୁ ଭୁଲି ନଥିଲା। ଗଲ୍ଫ ଅଫ ଏଡେନରେ ଜଳୁଥିବା ଜାହାଜରୁ ଯବାନମାନେ ଫସି ରହିଥିବା ୨୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଜ ଦମ ଦେଖାଇଛନ୍ତି।
ନୌସେନା ପକ୍ଷରୁ ଗୋଟିଏ ବିବୃତି ଜାରି କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଲିବେରିଆ ପତାକା ଲାଗିଥିବା ବ୍ୟବସାୟିକ ଜାହାଜ MSCSkyII ଉପରେ ଡ୍ରୋନ ଆଟାକ ହୋଇଥିଲା। ଏଥିଯୋଗୁ ଜାହାଜରେ ନିଆଁ ଲାଗି ଯାଇଥିଲା। ମାର୍ଚ୍ଚ ୪ ତାରିଖରେ ଜାହାଜରେ ନିଆଁ ଲାଗି ଯାଇଥିବା ଖବର ନୌସେନା ପାଖରେ ପହଞ୍ଚିଥିଲା।
ଉକ୍ତ ‌ଅଞ୍ଚଳରେ ମୁତୟନ ହୋଇଥିବା ଆଇଏନଏସ୍‌ କୋଲକାତାର ଯବାନମାନେ ତୁରନ୍ତ ଉଦ୍ଧାର ପାଇଁ ବାହାରି ଯାଇଥିଲେ। ରାତି ପ୍ରାୟ ୧୦.୩୦ରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆଇଏନଏସ୍‌ କୋଲକାତାର ୧୨ ଜଣ ସ୍ୱତନ୍ତ୍ର ଅଗ୍ନି ନିର୍ବିପାକ ଟିମ ମାର୍ଚ୍ଚ ୫ ତାରିଖ ଭୋର ସମୟରେ ଜଳନ୍ତା ଜାହାଜ ଭିତରକୁ ପ୍ରବେଶ କରିଥିଲେ। ସେମାନେ ନିଆଁ ଲିଭାଇବାରେ ସହାୟତା କରିଥିଲେ। ଏହାପରେ ସ୍ୱତନ୍ତ୍ର ଇଓଡି ଟିମ ଜାହାଜକୁ ଯାଇ ତା’ ଭିତରେ ଫସିଥିବା ଲୋକଙ୍କୁ ସହାୟତା କରିଥିଲା।

ad-week
Leave A Reply

Your email address will not be published.