ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ ସତ୍ୟପିର ମିଶ୍ରଙ୍କ ଅଦାଲତରେ ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ପ୍ରାକ ମକଦ୍ଦମା ମାମଲା ଗୁଡ଼ିକ ମଧ୍ୟରୁ ୭୭ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୬୪ ଲକ୍ଷ ୪୨ ହଜାର ୪୭୬ ଟଙ୍କା ଆଦାୟ କରାଯାଇଥିବା ବେଳେ, ୪୩ଟି ବି.ଏସ୍. ଏନ୍.ଏଲ୍. ମାମଲା ବିଚାର କରାଯାଇ ୫୧ ହଜାର ୬୪୪ ଟଙ୍କା ଆଦାୟ କରାଯାଇଛି। ସେହିପରି, ୩୨ ଗୋଟି ଜନ ଉପଯୋଗୀ ସେବା( ରଫା ଅଯୋଗ୍ୟ ବ୍ୟତିତ) ମାମଲାର ବିଚାର କରାଯାଇ ୧ଲକ୍ଷ ୧୪ ହଜାର ୪୪୩ ଟଙ୍କା ଆଦାୟ କରାଯାଇଛି।
ସେହିପରି, ଅଦାଲତରେ ବିଚାରାଧୀନ ମାମଲା ଗୁଡ଼ିକ ମଧ୍ୟରୁ ୭ଟି ଏନ୍.ଆଇ. ଆକ୍ଟ ମାମଲାର ବିଚାର କରାଯାଇ ୬ ଲକ୍ଷ ୭୯ ହଜାର ୨୬୩ଟଙ୍କା ଆଦାୟ କରାଯାଇଥିବା ବେଳେ ୫ଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୪୫ ଲକ୍ଷ ୧୦ ହଜାର ଟଙ୍କା ଆଦାୟ କରାଯାଇଛି। ୧୧ ଗୋଟି ବୈବାହିକ ବିବାଦ ଫଇସଲା କରାଯାଇ ୧ ଲକ୍ଷ ୭୪ ହଜାର ଟଙ୍କା ଆଦାୟ କରାଯାଇଥିବା ବେଳେ, ୧୧୮ ଗୋଟି ଏଫ୍.ଆର୍.ଟି., ୪୪୬ ସି.ଆର୍. ପି.ସି. ମାମଲା ବିଚାର କରାଯାଇ ୪ହଜାର ଟଙ୍କା ଆଦାୟ କରାଯାଇଛି । ତେବେ, ୬ଟି ଅପରାଧିକ କମ୍ପାଉଣ୍ଡେବଲ୍ ମାମଲା, ୨ ଗୋଟି ଅର୍ଥ ଅସୁଲି ମାମଲା, ୧୯୩ ଗୋଟି ହାଇକୋର୍ଟ ଓ ଜିଲ୍ଲା ଅଦାଲତରେ ବିଚାରାଧୀନ ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା ଏବଂ ୪ଟି ଅନ୍ୟାନ୍ୟ ସିଭିଲ୍ ମାମଲାର ବିଚାର କରାଯାଇଛି । ଆଜିର ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧୫୨ଟି ଓ ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ୩୪୬ଟି ମାମଲାର ଫଇସଲା କରାଯାଇଛି ବୋଲି ଜଣାପଡ଼ିଛି।
ମାନନୀୟ ଜିଲ୍ଲା ଜଜ୍-ତଥା-ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲା ଜଜ୍-ତଥା- ପାରିବାରିକ ଅଦାଲତ ବିଚାରପତି, ଫୁଲବାଣୀ, ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ୍, ଫୁଲବାଣୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍, ଫୁଲବାଣୀ, ସହକାରୀ ସେସନ୍ ଜଜ୍- ମହିଳା କୋର୍ଟ, ଫୁଲବାଣୀ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ , କନ୍ଧମାଳ, ଫୁଲବାଣୀ, ଏସ୍.ଡି.ଜେ.ଏମ୍, ଫୁଲବାଣୀ, ଜେ.ଏମ୍. ଏଫ୍.ସି., ଫୁଲବାଣୀ, ପ୍ରମୁଖ ମାଜିଷ୍ଟ୍ରେଟ୍, ଜୁଭେନିଲ ଜଷ୍ଟିସ ବୋର୍ଡ, ଫୁଲବାଣୀଙ୍କ ଇଜ୍ଲାସରେ ମାମଲା ଗୁଡ଼ିକର ବିଚାର କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଫୁଲବାଣୀର ସମସ୍ତ କର୍ମଚାରୀଙ୍କ ସହାୟତାରେ ଏହି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ -୨୦୨୪କୁ ସାଫଲ୍ୟ ମଣ୍ଡିତ କରାଯାଇଥିଲା।
