ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦେଲେ ବିଜେପି ନେତା

add-all

ନିଜ ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଲେ ବିଜେପି ନେତା କୌସ୍ତୁଭ ବାଗଚୀ। ଶନିବାର ପଶ୍ଚିମ ବଙ୍ଗର ସିଲିଗୁଡ଼ିରେ ସେ ନିଜ ରକ୍ତରେ ଲେଖିଥିବା ଚିଠିକୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ। ସେ ଏଥିରେ ଲେଖିଥିଲେ- ପ୍ରଧାନମନ୍ତ୍ରୀ ମୋଦି, ଦୟାକରି ପଶ୍ଚିମବଙ୍ଗକୁ ଚୋରଙ୍କ କବଳରୁ ରକ୍ଷା କର।

କୌସ୍ତୁଭ ବାଗଚୀଙ୍କ ଚିଠିକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିଲେ। କିନ୍ତୁ ଆଉ ଏଭଳି ନ କରିବା ପାଇଁ କହିଥିଲେ। ବାଗଚୀ ତାଙ୍କ X ରେ ଲେଖିଛନ୍ତି, ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସହିତ କଥା ହେବାକୁ ସୁଯୋଗ ପାଇଲି। ପଶ୍ଚିମବଙ୍ଗ ପାଇଁ ନିଜ ରକ୍ତରେ ଲେଖା ଏକ ଚିଠି ତାଙ୍କୁ ଦେଲି। ସେ ଏହାକୁ ଗ୍ରହଣ କଲେ। କିନ୍ତୁ ଗାଳି କଲେ, ଯେମିତି ମୋ ବାପା ମୋତେ ଗାଳି କରନ୍ତି। ସେହି ଗାଳିରେ ଥିଲା ସହାନୁଭୂତି। ଏହା ହିଁ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରେ।

ଗତ ଫେବ୍ରୁଆରୀ ୨୮ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ କୌସ୍ତୁଭ ବାଗଚୀ। ଦଳରେ ଆଉ ସମ୍ମାନ ମିଳୁ ନାହିଁ ବୋଲି ସେ କହିଥିଲେ। ତା’ ସହିତ ଦଳ ଆଉ ପଶ୍ଚିମବଙ୍ଗକୁ ଗୁରୁତ୍ୱ ଦେଉ ନଥିବା ସେ କହିଥିଲେ। ନିଜ ଆତ୍ମସମ୍ମାନ ସହିତ କୌଣସି ବୁଝାମଣା କରିବେ ନାହିଁ କହି ସେ କଂଗ୍ରେସ ଛାଡ଼ିଥିଲେ। ଫେବ୍ରୁଆରୀ ୨୯ ତାରିଖରେ ସେ ବିଜେପିରେ ଯୋଗ ଦେଇଥିଲେ।

୨୦୨୩ରେ କୋଲକାତା ପୁଲିସ୍ କୌସ୍ତୁଭ ବାଗଚୀଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦରେ ସେ ଲଣ୍ଡା ହୋଇଯାଇଥିଲେ। ଏବେ ମଧ୍ୟ ମୁଣ୍ଡରେ ଚୁଟି ଉଠିବାକୁ ଦେଉ ନାହାନ୍ତି। ଯେତେ ଦିନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାର ନହଟିଛି, ସେତେ ଦିନ ପର୍ଯ୍ୟନ୍ତ ସେ ତାଙ୍କ ମୁଣ୍ଡରେ କେଶ ଉଠିବାକୁ ଦେବେ ନାହିଁ ବୋଲି ପଣ କରିଛନ୍ତି।

ମାସକ ଭିତରେ ତୃତୀୟ ଥର ପାଇଁ ଶନିବାର ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଯାଇ ୪୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ।

ad-week
Leave A Reply

Your email address will not be published.