କଟକରେ ୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ୨ ଗିରଫ

add-all

କଟକ: କଟକ କମିଶନରେଟ ପୁଲିସ ହାତରେ ପଡ଼ିଛନ୍ତି ୨ ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀ। ପଶ୍ଚିମବଙ୍ଗର ଏହି ଦୁଇ ବ୍ୟବସାୟୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ। ସେମାନଙ୍କଠାରୁ ୨୫୭ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ।

ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ମୁର୍ଶିଦାବାଦର ଈଶ୍ୱର ମାହାରା ଓ ବୁଧୁ ରାୟ। ସେମାନଙ୍କଠାରୁ ନଗଦ ୨ ଲକ୍ଷ ଟଙ୍କା ସହିତ ଗୋଟିଏ ସ୍କର୍ପିଓ ଗାଡ଼ି ଜବତ କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ଦ୍ୱୟ ମୁର୍ଶିଦାବାଦରୁ ବ୍ରାଉନ୍ ସୁଗର ଆଣି ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ। ବାଟରେ ସେମାନେ ଭଦ୍ରକରେ କିଛି ବ୍ରାଉନ ସୁଗର ବିକ୍ରି କରିଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାଡ୍ କଟକର କାଳିଆ ବୋଦା ନିକଟରେ ଛକି ରହିଥିଲେ। ସେଠାରେ ବ୍ଳକିଂ ଓ ଚେକିଂ ଚାଲିଥିଲା ବେଳେ ଏହି ଅଭିଯୁକ୍ତମାନେ ଧରାପଡ଼ିଥିଲେ। ସେମାନଙ୍କଠାରୁ ବ୍ରାଉନ୍ ସୁଗର ଜବତ କରାଯାଇଥିଲା।

ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି, ସେମାନେ ମୁର୍ଶିଦାବାଦରୁ ଯେଉଁ ବ୍ରାଉନ୍ ସୁଗର ଆଣିଥିଲେ, ସେଥିରୁ ବାଟରେ କିଛି ବିକ୍ରି କରିଥିଲେ। ସେଥିରୁ ସେମାନଙ୍କୁ ୨ ଲକ୍ଷ ଟଙ୍କା ମିଳିଥିଲା। ସେହି ଅର୍ଥକୁ ଜବତ କରାଯାଇଛି। ଏହି ଘଟଣାର ତଦନ୍ତ ଚାଲିଛି। ଆବଶ୍ୟକ ହେଲେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯାଇ ପୁଣି ଜେରା କରାଯିବ।

ad-week
Leave A Reply

Your email address will not be published.