ବଜ୍ରାଘାତରେ ଗଲା ଦୁଇ ଜୀବନ, ଦୁଇ ମହିଳା ଗୁରୁତର

add-all

ଭୁବନେଶ୍ୱର: କାଳବୈଶାଖୀ ରଚିଲା ତାଣ୍ଡବ । ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇଥିବା ସୂଚନା ରହିଛି। ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତ ହୋଇଛି। ବାଲେଶ୍ବର ଜିଲ୍ଲା ଭୋଗରାଇରେ ବଜ୍ରାଘାତରେ ଜଳିଗଲେ ଯୁବକ । ମୃତ ଯୁବକ ଟୁକୁରି ହାଜିରା ଗାଁର ରଞ୍ଜନ ପ୍ରମାଣିକ । ଚିଙ୍ଗୁଡ଼ି ଘେରିରେ କାମ କାରିବାକୁ ଯାଇଥିଲେ ରଞ୍ଜନ । ଏଥିସହ ବଜ୍ରପାତ ଯୋଗୁଁ ଜଣେ ମହିଳା ଗୁରୁତର ହୋଇ ପଡ଼ିଛନ୍ତି। ବର୍ଷା ଆସିଯିବାରୁ କୁଡ଼ିଆ ଭିତରେ ଆଶ୍ରୟ ନେଇଥିଲେ । ବଜ୍ରାଘାତ ପଡି ଘର ସହ ଯୁବକ ଜଳି ଯାଇଥିବା ସୂଚନା ରହିଛି।

ସେହିପରି ବଜ୍ରପାତରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ମାଣିକ ସାହିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ବାଇଧର ସାମାଡ୍ର। ଆଜି ସକାଳେ ମାଣିକ ସାହିରେ ବର୍ଷା ସହିତ ଘନ ଘନ ବିଜୁଳି ମାରିଥିଲା। ସେହି ସମୟରେ ବାଇଧରଙ୍କ ସ୍ତ୍ରୀ ଘର ବାହାରେ ରହିଯାଇଥିବା କିଛି ଶୁଖୁଥିବା ଲୁଗା ଆଣିବା ପାଇଁ ଯାଇଥିଲେ। ତାଙ୍କ ସ୍ତ୍ରୀ ଲୁଗା ନେଇ ଆସୁଥିବା ବେଳେ ବିଜୁଳି ମାରିଥିଲା।

ଫଳରେ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ସ୍ୱାମୀ ବାଇଧର।  ସେତେବେଳେ ପୁଣି ବିଜୁଳି ମାରିଥିଲା। ବାଇଧର ଓ ତାଙ୍କ ସ୍ତ୍ରୀ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ନିଜ ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ବାଇଧର ବଜ୍ରାଘାତରେ ପ୍ରାଣ ହରାଇଥିବା ବେଳେ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.