କଂଗ୍ରେସରେ ବିଲୀନ ହେଲା ପପୁ ଯାଦବଙ୍କ ଦଳ

add-all

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏହାରି ଭିତରେ ପୁଣି ବଳ ଗୋଟାଉଛି ଇଣ୍ଡିଆ ମେଣ୍ଟ। ପପୁ ଯାଦବଙ୍କ ଜନ ଅଧିକାର ପାର୍ଟି ଆଜି କଂଗ୍ରେସରେ ବିଲୀନ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଜନ ଅଧିକାର ପାର୍ଟିର ସୁପ୍ରିମୋ ପପୁ ଯାଦବ ଘୋଷଣା କରିଛନ୍ତି। ଫଳରେ ଇଣ୍ଡି ଆଲାଏନ୍ସକୁ ଏବେ ଆଉ ଜଣେ ନୂଆ ସଦସ୍ୟ ମିଳିଛି।

ଏହାପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ପାଟନାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଭେଟି ସେ ଆଲୋଚନା କରିଥିଲେ। ଆଜି ସକାଳୁ ପପୁ ଯାଦବ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ସହ କଂଗ୍ରେସ ସଭାପତିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ତାଙ୍କ ଦଳ ବିଲୀନ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଥିଲା। କଂଗ୍ରେସରେ ସାମିଲ ହେବା ପରେ ପପୁ ଯାଦବ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି।

କଂଗ୍ରେସରେ JAP ବିଲୀନ ହେବା ପରେ ପପୁ ଯାଦବ ସୋଶାଲ ମିଡିଆ ପ୍ଲାଟଫମ Xରେ ଲେଖିଛନ୍ତି, ‘ଆଜୀବନ କଂଗ୍ରେସ ସହ ରହିବ। ଦେଶର ଭବିଷ୍ୟତ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରିବା ଲକ୍ଷ୍ୟ। ଯୁବ, କୃଷକ, ମିହଳା ଓ ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ସଙ୍କଳ୍ପ।’

ସେପଟେ ଏହି ରାଜନୈତିକ ଘଟଣାକ୍ରମକୁ ନେଇ ବିହାର କଂଗ୍ରେସ ଅଧ୍ୟକ୍ଷ ଅଖିଳେଶ ସିଂହ ଅସନ୍ତୋଷ ଥିବା କୁହାଯାଉଛି। ସେ ପୂର୍ବରୁ ମଧ୍ୟ ଏହାକୁ ବିରୋଧ କରିଆସୁଛନ୍ତି । ବିହାରର ଇନ୍‌ଚାର୍ଜ ମୋହନ ପ୍ରକାଶ ତାଙ୍କ ଅସନ୍ତୋଷ ଦୂର କରିବା ପାଇଁ ତାଙ୍କୁ ଭେଟିବା ପାଇଁ ଡକାଇଛନ୍ତି। କୁହାଯାଉଛି ଯେ, ପପୁ ଯାଦବ କଂଗ୍ରେସରେ ସାମିଲ ହେବା ଖବର ଅଖିଳେଶ ପ୍ରସାଦ ସିଂହଙ୍କୁ ଜଣାନଥିଲା।

କଂଗ୍ରେସରେ ବିଲୀନ ହେବା ପରେ ଇଣ୍ଡି ଆଲାଏନ୍ସ ତରଫରୁ ପପୁ ଯାଦବ ବିହାରର ପୂର୍ଣ୍ଣିୟା ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ଗତ କିଛି ଦିନ ପୂର୍ବେ ପପୁ ଯାଦବ କଂଗ୍ରେସ ଯଦି ତାଙ୍କୁ ପୂର୍ଣ୍ଣିୟା ଆସନରୁ ଟିକେଟ୍‌ ଦେବ ତେବେ ସେ ନିଜ ଦଳକୁ କଂଗ୍ରେସରେ ବିଲୀନ କରିବେ ବୋଲି ଏକ ରାଲି କରି କହିଥିଲେ। 

୨୦୧୫ରେ ପପୁ ଯାଦବ ଜନ ଅଧିକାର ଦଳ ଗଠନ କରିଥିଲେ। ଏହାପରେ ୨୦୧୯ରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଏଥିରେ ସେ ହାରି ଯାଇଥିଲେ। 

ad-week
Leave A Reply

Your email address will not be published.