କଂଗ୍ରେସକୁ ପଙ୍ଗୁ କରି ଦେବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ମୋଦି – ସୋନିଆ

add-all

ନୂଆଦିଲ୍ଲୀ :ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ତଦନ୍ତକାରୀ ସଂସ୍ଥା କଂଗ୍ରେସର ସବୁ ଆକାଉଣ୍ଟକୁ ଫ୍ରିଜ କରି ଦେଇଥିବା ଦଳ ଅଭିଯୋଗ କରିଛି।
ଏହାକୁ ନେଇ ରାଜନୀତିକ ହଟଚମଟ ଚାଲିଥିବା ବେଳେ ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜବରଦସ୍ତ ଢଙ୍ଗରେ ସମାଲୋଚନା କରିଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ବେଶ ବ୍ୟବସ୍ଥିତ ଢଙ୍ଗରେ କଂଗ୍ରେସ ଆର୍ଥିକ ସ୍ତରରେ ପଙ୍ଗୁ କରିଦେବାକୁ ଚେଷ୍ଟା କରୁଥିବା ସୋନିଆ ଅଭିଯୋଗ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ପୁଅ ରାହୁଲ ଗାନ୍ଧିଙ୍କ ସହ ସୋନିଆ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ମୋଦିଙ୍କୁ ସମାଲୋଚନା କରିଛନ୍ତି।
ସୋନିଆ ଗାନ୍ଧି କହିଛନ୍ତି, “କଂଗ୍ରେସରେ ପାଣ୍ଠିର ଅଭାବ କେବଳ ଦଳକୁ ପ୍ରଭାବିତ କରିବ ନାହିଁ, ବରଂ ଗଣତନ୍ତ୍ର ମଧ୍ୟ ପ୍ରଭାବିତ ହେବ। ଗୋଟିଏ ପଟେ ନିର୍ବାଚନୀ ବଣ୍ଡ ପ୍ରସଙ୍ଗ ରହିଛି। ଏହାକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ କହି ସାରିଛନ୍ତି। ନିର୍ବାଚନୀ ବଣ୍ଡ ବିଜେପିକୁ ଅଧିକ ଫାଇଦା ଦେଇଛି। ଅନ୍ୟପଟେ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ଆର୍ଥିକ ସ୍ଥିତି ଉପରେ ପ୍ରହାର କରାଯାଉଛି। ଏହା ଅଦ୍ଭୂତ ଓ ଅଗଣତାନ୍ତ୍ରିକ ବୋଲି ଆମର ବିଶ୍ୱାସ।”
ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ ହୋଇଯିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି ଯେ ଦଳ ନିର୍ବାଚନ ପାଇଁ ପ୍ରଚାର କାମ କରିବାକୁ ଅକ୍ଷମ। ଖାଲି ସେତିକି ନୁହେଁ, ଦେଶର ଗୋଟିଏ ପ୍ରାନ୍ତରୁ ଆଉ ଗୋଟିଏ ପ୍ରାନ୍ତକୁ ଯିବା ପାଇଁ ଆବଶ୍ୟକ ଟ୍ରେନ ଟିକେଟ କିଣିବା ସକାଶେ ମଧ୍ୟ ଟଙ୍କା ଦଳ ପାଖରେ ନଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସର ଏପରି ଅଭିଯୋଗର ଜବାବ ବିଜେପି ରଖିଛି। ବିଜେପି ସାଂସଦ ରବି ଶଙ୍କର ପ୍ରସାଦ କହିଛନ୍ତି, “ମୁଁ କଂଗ୍ରେସକୁ ଗୋଟିଏ ପରାମର୍ଶ ଦେବାକୁ ଚାହୁଁଛି ଯେ ଆପଣମାନେ ରାହୁଲ ଗାନ୍ଧିଙ୍କୁ ଯେତେ ଅଧିକ କହିବାକୁ ଦେଉଛନ୍ତି, ଆପଣଙ୍କର କ୍ଷତି ସେତିକି ହେବାରେ ଲାଗିଛି।”
ବିଜେପି ସୁପ୍ରିମୋ ଜେପି ନଡ୍ଡା ମଧ୍ୟ ଏକ୍ସ ଜରିଆରେ ରାହୁଲ ଗାନ୍ଧି ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସର ପାର୍ଟ ଟାଇମ ଲିଡର କହୁଛନ୍ତି ଯେ ଭାରତକୁ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କହିବା ମିଛ। ମୁଁ ତାଙ୍କୁ ବେଶ ବିନମ୍ରତାର ସହ ମନେ ପକାଇ ଦେବାକୁ ଚାହୁଁଛି ଯେ ୧୯୭୫ରୁ ୧୯୭୭ ମଧ୍ୟରେ କିଛି ମାସ ଭାରତରେ ଗଣତନ୍ତ୍ର ନଥିଲା। ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଆଉ କେହି ନୁହେଁ ଶ୍ରୀମତୀ ଇନ୍ଦିରା ଗାନ୍ଧି ରହିଥିଲେ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.