ରାସ୍ତା ନାହିଁ, ଭାରରେ ବୁହା ହେଲେ ଗର୍ଭବତୀ

add-all

କନ୍ଧମାଳ : ପୁଣି ଥରେ କନ୍ଧମାଳ ଜିଲ୍ଲାରେ ଜନନୀ ଯନ୍ତ୍ରଣାର ନଗ୍ନଚିତ୍ର ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ଭାର ସାହାଯ୍ୟରେ ପାଖାପାଖି ୩ କିଲୋମିଟର ଯାଏ ବୋହି ନେବାକୁ ପରିବାର ଲୋକେ ବାଧ୍ୟ ହୋଇଛନ୍ତି। ଘଟଣାଟି ଘଟିଛି ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତର ନିଲାକ୍ଳିଉ ଗାଁରେ।
ଗତ ମଙ୍ଗଳବାର ଗାଁର ଥିଓପିଲ ମାଝୀଙ୍କ ପତ୍ନୀ ଶିବାଜିନୀ ମାଝୀଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ଗାଁକୁ ରାସ୍ତା ନଥିବା ଯୋଗୁ ପରିବାର ଲୋକେ ଶିବାଜିନୀଙ୍କୁ ଭାରରେ ବୋହି ୩ କିଲୋମିଟର ଦୂର ସିକବାଡ଼ି ଯାଏ ଆଣିଥିଲେ। ସେଠାରୁ ତାଙ୍କୁ ସେମାନେ ଅଟୋ ଯୋଗେ ବ୍ରାହ୍ମଣୀଗାଁ ଡାକ୍ତରଖାନାକୁ ନେଇଥିଲେ। ନେଟୱର୍କ ସମସ୍ୟା ଯୋଗୁ ଆମ୍ବୁଲାନ୍ସକୁ ଫୋନ କରି ପାରିନଥିଲେ ବୋଲି ଶିବାଜିନୀଙ୍କ ପରିବାର ଲୋକ କହିଛନ୍ତି।
ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଶିବାଜିନୀ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ମା’ ଓ ଶିଶୁଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।
ନିଲାକ୍ଳିଉ ଗାଁରେ ୧୬ଟି ପରିବାର ବସବାସ କରୁଛନ୍ତି। କିନ୍ତୁ ଆଜି ଯାଏ ଗାଁକୁ ସବୁଦିନିଆ ରାସ୍ତାଟିଏ ନିର୍ମାଣ ହୋଇପାରି ନାହିଁ। ସେଥି ପାଇଁ ଗାଁ ଲୋକେ ଯା’ଆସରେ ଭାରି ହଇରାଣ ହେଉଛନ୍ତି। ଦୁର୍ଗମ ଇଲାକା ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ନିଲାକ୍ଳିଉ ଗାଁକୁ ରାସ୍ତାଟିଏ କରିପାରି ନାହାନ୍ତି।

ad-week
Leave A Reply

Your email address will not be published.