ଓଡ଼ିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

add-all

ମାଲକାନଗିରି : ଓଡିଶା ଦିବସ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ସ୍ୱର୍ଣିମ ସ୍ୱାକ୍ଷର ବହନ କରେ। ଏଥି ସହିତ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଭାବାବେଗ ଏହି ଦିବସ ସହ ଗଭୀର ଭାବେ ଜଡ଼ିତ। ଚଳିତ ବର୍ଷ ଏହି ଉତ୍ସବକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହକାରେ ପାଳନ କରିବା ନିମନ୍ତେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଆହ୍ବାନ କରିଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ବେଦବର ପ୍ରଧାନ ଓ ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ ଯୋଗ ଦେଇ ମତାମତ ଦେଇଥିଲେ। ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଓଡିଶା ଦିବସ ପାଳନ ନେଇ ବିବରଣୀ ପାଠ କରିଥିଲେ। ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଓଡିଶା ଦିବସ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନ ୮ ଟାରେ ମାଲ୍ୟାର୍ପଣ କରାଯିବ। ଜିଲ୍ଳା ସଂସ୍କୃତି ଭବନ ଠାରେ ସନ୍ଧ୍ୟା ୬ ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ତତ୍ ସହିତ ଜିଲ୍ଲାର ସମସ୍ତ ବ୍ଲକ୍, ତହସିଲ, ଗ୍ରାମ ପଞ୍ଚାୟତ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ଓଡିଶା ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟ ଠାରେ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧ ତାରିଖ ଦୁଇ ଦିନ ବିଭିନ୍ନ ରଙ୍ଗର ବିଜୁଳି ଆଲୋକରେ ଆଲୋକିତ କରିବା ପାଇଁ ସମସ୍ତ କାର୍ଯ୍ୟାଳୟର ଅଧିକାରୀ ମାନଙ୍କୁ ତଥା ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ରଙ୍ଗ ଲଗାଇବା ସହ ପାରିପାର୍ଶ୍ବିକ ସ୍ଥାନଗୁଡିକୁ ସଫା ଓ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ କୁହାଯାଇଛି। ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜନ କରାଯିବ। ଜିଲ୍ଲାର ସମସ୍ତ ଅନୁଷ୍ଠାନର ନାମ ଫଳକ ଓଡିଶା ଦିବସ ପୂର୍ବରୁ ଓଡ଼ିଆରେ ଲେଖିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ପ୍ରତିନିଧି ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ଏଥିରେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.