କୋରାପୁଟରେ ମୁଖ୍ୟ ନିର୍ବାଚନ ଅଧିକାରୀ: କୋଟିଆରେ ମତଦାନ ଚ୍ୟାଲେଞ୍ଜ ନାହିଁ

add-all

କୋରାପୁଟ: କୋଟିଆରେ ମତଦାନ ପାଇଁ କୌଣସି ଚ୍ୟାଲେଞ୍ଜ ନାହିଁ। ଶୃଙ୍ଖଳିତ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ବ ଦିଆଯିବ। ପୂର୍ବ ନିର୍ବାଚନ ଅପେକ୍ଷା ୨୦୨୪ରେ କୋଟିଆରେ ମତଦାନ ହାର ବଢ଼ିବ। କୋରାପୁଟ ଗସ୍ତରେ ଆସି ନିର୍ବାଚନ ପୂର୍ବ ସ୍ଥିତି ସମୀକ୍ଷା କରି ଏହା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। କୋରାପୁଟ ସଦ୍‌ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଧଳ କହିଛନ୍ତି, କୋଟିଆ ଅଞ୍ଚଳ ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ବାଚନ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ମାଲକାନଗିରିରେ ୧୬ କମ୍ପାନି, କୋରାପୁଟରେ ୮ କମ୍ପାନି, ନବରଙ୍ଗପୁର ଓ ରାୟଗଡ଼ାରେ ୩ କମ୍ପାନି ଲେଖାଏଁ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି। ସେମାନେ ପ୍ରଥମେ ଏରିଆ ଡୋମିନେଣ୍ଟ କରି ମତଦାନ କରିବାକୁ ଲୋକଙ୍କ ଆସ୍ଥାଭାଜନ ହେବେ। ପ୍ରତି ଜିଲ୍ଲାରେ ରହିଥିବା ନୋ ନେଟ୍‌ୱର୍କ ଅଞ୍ଚଳରେ ଭିଏଚ୍‌ପି ସେଣ୍ଟର ପ୍ରତିଷ୍ଠା କରାଯିବ। ମୁଖ୍ୟତଃ ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ମୋବାଇଲ ଭିଏଚ୍‌ପି ଓ ଭିଏଚ୍‌ପି ସେଣ୍ଟର ପ୍ରତିଷ୍ଠା କରାଯାଇ ଯୋଗସୂତ୍ର ସ୍ଥାପନ କରାଯିବ। ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଲାଗି ପୋଲିଂ ପାର୍ଟି ପାଇଁ ୨ଟି ବୋଟ୍‌ ବ୍ୟବସ୍ଥା କରାଯିବ।
ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଅବିଭକ୍ତ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ବିଏସ୍‌ଏଫ୍‌, ଏଡିଏମ୍‌ ଓ ୧୪ଟି ବିଧାନସଭା ଆସନର ରିଟର୍ଣ୍ଣିଂ ଅଫିସରଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ କୋରାପୁଟ ଓ ଜୟପୁରରେ ରହିଥିବା ଭୋଟଗଣତି କେନ୍ଦ୍ର ବୁଲି ଦେଖିଥିଲେ। ତାଙ୍କ ସହ ରାଜ୍ୟ ପୁଲିସ ନୋଡାଲ ଅଧିକାରୀ (ନିର୍ବାଚନ) ସଂଜୟ କୁମାର, ଅତିରିକ୍ତ ସିଇଓ ଏନ୍. ଥିରୁମାଲା ନାଇକ, ସତ୍ୟାଗ୍ରହ କର୍ ଓ ପିଆରଓ ବିନାୟକ ମିଶ୍ର, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା, କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.