
ମାଲକାନଗିରି : ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ଆଧାରରେ ନିର୍ବାଚନ ପରିଚାଳିତ ହୋଇଥାଏ। ତେଣୁ ପ୍ରଶିକ୍ଷଣକୁ ଗୁରୁତ୍ଵ ପ୍ରଦାନ କରି ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ନିୟମ ଜାଣିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ସଚିନ ପାୱାର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି କ୍ଷେତ୍ରରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସରଙ୍କ ଦିନିକିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ପାୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ, ରାମଚନ୍ଦ୍ର ଖଡ଼ିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତପନ କୁମାର ରଥ, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଓ ଅତିରିକ୍ତ ଉପ ଜିଲ୍ଲାପାଳ, ଜଗେଶ୍ୱର ନାଏକ ଉପସ୍ଥିତ ଥିଲେ। ପ୍ରଶିକ୍ଷଣ ପରେ ନିର୍ବାଚନ ପାଇଁ ନିୟୋଜିତ ସେକ୍ଟର ଅଧିକାରୀ ଓ ସେକ୍ଟର ପୋଲିସ ଅଧିକାରୀ ନିଜ ଦାୟିତ୍ଵକୁ ଭଲ ଭାବେ ବୁଝି ନିଜ ନିଜ ପରିସରର ବୁଥ ଗୁଡ଼ିକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା, ବୁଥ ମାନଙ୍କରେ ନିର୍ବାଚନ କମିଶନରଙ୍କ ମାର୍ଗଦର୍ଶିକା ଅନୁସାରେ ସର୍ବନିମ୍ନ ସୁବିଧା ଯଥା ପାନୀୟ ଜଳ, ରାମ୍ପ, ବିଦ୍ୟୁତ୍ ବ୍ୟବସ୍ଥା , ଶୌଚାଳୟ ଇତ୍ୟାଦି ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ସେକ୍ଟର ଅଫିସର ମାନେ ନିର୍ବାଚନ ବ୍ୟବସ୍ଥା ସମ୍ପର୍କରେ ସଂପୂର୍ଣ୍ଣ ଅବଗତ ହୋଇ ତାଙ୍କ ଅଧୀନରେ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରିବାକୁ ପରାମର୍ଶ ଦିଆଯାଇଥିଲା। ପିପିଟି ମାଧ୍ୟମରେ ବିସ୍ତୃତ ଭାବେ ଭଲନରେବିଲିଟି ମ୍ୟାପିଙ୍ଗ, ବୁଥ ଚିହ୍ନଟିକରଣ, ମତଦାନ କେନ୍ଦ୍ରକୁ ଅନୁଧ୍ୟାନ, କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ , ରାମ୍ପ ଓ ଶୌଚାଳୟ ବ୍ୟବସ୍ଥାକୁ ନିରୀକ୍ଷଣ ସହ ନିର୍ବାଚନ ପୂର୍ବରୁ, ନିର୍ବାଚନ ଦିନ ଏବଂ ନିର୍ବାଚନ ପରବର୍ତ୍ତୀ କାର୍ଯ୍ୟକ୍ରମ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଚଳିତ ନିର୍ବାଚନ ସ୍ବତନ୍ତ୍ର ରହିଛି। ଚଳିତ ବର୍ଷ ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ ଯଦି ଉଭୟ ଲୋକସଭା ଓ ବିଧାନସଭା ନିମନ୍ତେ ଫର୍ମ ୧୨ରେ ଆବେଦନ କରିଥିବେ ତାହେଲେ ସେମାନଙ୍କ ନିମନ୍ତେ ମତଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି। ବୁଥର ୨୦୦ ମିଟର ପରିମିତ ଅଂଚଳରେ ଆଦର୍ଶ ଆଚରଣ ବିଧି ଯେପରି ଉଲଙ୍ଘନ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଆଜିର ଏହି ପ୍ରଶିକ୍ଷଣରେ ୧୧୦ ଜଣ ସେକ୍ଟର ଅଫିସର ଓ ୧୧୦ ଜଣ ସେକ୍ଟର ପୋଲିସ ଅଫିସର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଡିଏଲଏମଟି, ବିଡ଼ିଓ ଓ ତହସିଲଦାର ଉପସ୍ଥିତ ଥିଲେ।