ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି 

add-all

ଯାଜପୁର : ବନ ବିଭାଗ ସହ ଛକାପଞ୍ଝା ପରେ ଆଜି ସକାଳେ ଆତ୍ମସମର୍ପଣ କରିଛନ୍ତି ଯାଜପୁର ଜିଲ୍ଲାର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି। ଯାଜପୁର ରୋଡ୍‌ ବନ ବିଭାଗ କାର୍ଯ୍ୟାଳୟକୁ ଆସି ମୋନାଲିସା ଓ ତାଙ୍କ ସ୍ୱାମୀ ଆତ୍ମସମର୍ପଣ କରିଛନ୍ତି।
ମୋନାଲିସା ଜହଳ ଗାଁ ସ୍ଥିତ ଘରେ ମାଙ୍କଡ଼ ଓ ଘୋଡ଼ା ରଖିଥିଲେ। ସେମାନଙ୍କ ସହିତ ଫଟୋ ଉଠାଇ ପ୍ରତିଦିନ ସୋଶାଲ୍‌ ମିଡ଼ିଆ ଫେସ୍‌ବୁକ୍‌ରେ ପୋଷ୍ଟ କରୁଥିଲେ। ଦୀର୍ଘ ଦିନ ଧରି ସେ ଏପରି କାର୍ଯ୍ୟ କରି ଆସୁଥିଲେ। ପିସିସିଏଫ୍‌ ଓ କଟକ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ଗତ ରବିବାର ସକାଳେ ଯାଜପୁର ରୋଡ୍‌ ବନଖଣ୍ଡ ରେଞ୍ଜ ଅଫିସ୍‌ରଙ୍କ ନେତୃତ୍ୱରେ ୨ଟି ଟିମ୍‌ ତାଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ଚଢ଼ଉ ସମ୍ପର୍କରେ ଖବର ପାଇ ମୋନାଲିଶା ଓ ତାଙ୍କ ସ୍ୱାମୀ ଚମ୍ପଟ ମାରିଥିଲେ। ବନ ବିଭାଗ ମୋନାଲିଶାଙ୍କ ଘରୁ ଗୋଟିଏ ମାଙ୍କଡ଼ ଉଦ୍ଧାର କରିଥିଲା।
ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ ଦିନ ତମାନ ଚେଷ୍ଟା କରିଥିଲା। ହେଲେ ଦମ୍ପତିଙ୍କ ପତ୍ତା ପାଇନଥିଲା ବନ ବିଭାଗ। ଖାଲି ହାତରେ ଫେରିଥିଲା। ପରେ ସେମାନଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ନମ୍ବର 275/24ରେ ଏକ ମାମଲା ରୁଜୁ କରାଯାଇଥିଲା। ଏତେ ସବୁ ଘଟଣା ପରେ ଆଜି ସକାଳେ ମୋନାଲିସା ଓ ତାଙ୍କ ସ୍ୱାମୀ ଆତ୍ମସମର୍ପଣ କରିଛନ୍ତି।
ମୋନାଲିସା କେତେବେଳେ ମାଙ୍କଡ଼ଙ୍କୁ ଖାଇବାକୁ ଦେଇଥିଲେ ତ ଆଉ କେତେବେଳେ ସାପ ଧରି ନଚାଉଥିଲେ। ଆଉ କେତେବେଳେ ଘୋଡା ପିଠିରେ ବସି ବୁଲୁଥିଲେ। ଯାହାର ଭିଡିଓ ଓ ଫଟୋକୁ ନିଜ ୟୁଟ୍ୟୁବ ଏବଂ ସୋଶାଲ ମିଡ଼ିଆରେ ପୋଷ୍ଟ କରୁଥିଲେ। ଏଥିପାଇଁ ସେମାନେ ମାଲାମାଲ ହେଉଥିଲେ।
ମୋନାଲିସା ଆତ୍ମସମର୍ପଣ କରିବା ପରେ ଯାଜପୁର ରୋଡ୍‌ ବନଖଣ୍ଡର ରେଞ୍ଜ ଅଫିସର ଜ୍ୟୋତି ରଂଜନ ମହାପାତ୍ର କହିଛନ୍ତି, ଭଦ୍ର ଦମ୍ପତି ଆଇନକୁ ମାନି ଆତ୍ମସର୍ମପଣ କରିଛନ୍ତି। ଏହି ଘଟଣାରେ ଏସିଏଫ୍ ତଦନ୍ତ କରୁଛନ୍ତି। ଏସିଏଫ୍ ତଦନ୍ତ କରିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ad-week
Leave A Reply

Your email address will not be published.