ଦସ୍ତଖତ ପାଇଁ ୨୫ ଶହ ଲାଞ୍ଚ ମାମଲା: ପୂର୍ବତନ ସ୍ବାସ୍ଥ୍ୟ ପରିଦର୍ଶିକାଙ୍କୁ ୪ ବର୍ଷ ଜେଲ୍ 

add-all

ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨୮ ତାରିଖ ଗୁରୁବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ଖୁଟଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ପୂର୍ବତନ ସ୍ବାସ୍ଥ୍ୟ ପରିଦର୍ଶିକା ମଥାମଣି ରଥ (୬୩)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୪ ବର୍ଷ ଜେଲ୍ ଓ ୨ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦାୟରେ ଜେଲଦଣ୍ଡ ୩ ମାସ ବୃଦ୍ଧି ହେବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ଦଣ୍ଡାଦେଶ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।
ମାମଲାରୁ ଜଣାଯାଏ ଯେ, ପୂର୍ବତନ ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ରଥ ଖୁଟଗାଁ ସ୍ବାସ୍ଥ୍ୟ ଉପକେନ୍ଦ୍ରର ପୂର୍ବତନ ଏଏନଏମ ଯଶିନ୍ତା କେର୍କେଟାଙ୍କ ଓପିଡି ରେଜିଷ୍ଟର, ଗର୍ଭବତୀ ଓ ଓପିସିସି ରେଜିଷ୍ଟରରେ ପ୍ରତିସ୍ବାକ୍ଷର (କାଉଣ୍ଟର ସାଇନ୍) ପାଇଁ ୨୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନଦେଲେ ଦସ୍ତଖତ କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଏହା ପରେ ଏଏନଏମ ରାଉରକେଲା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏ ସଂକ୍ରାନ୍ତରେ ଭିଜିଲାନ୍ସ ୨୪.୬.୨୦୧୪ରେ ଏକ ମାମଲା ରୁଜୁ କରି ପରିଦର୍ଶିକାଙ୍କୁ ଧରିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ଏଏନଏମ ଯଶିନ୍ତା ପରିଦର୍ଶିକା ଶ୍ରୀମତୀ ରଥଙ୍କୁ ରଙ୍ଗ ବୋଳା ଟଙ୍କା ଦେବା କ୍ଷଣି ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ନେଇଥିଲେ। ରାଉରକେଲା ପୂର୍ବତନ ଭିଜିଲାନ୍ସ ନିରୀକ୍ଷକ ଭାସ୍କରଚନ୍ଦ୍ର ପୃଷ୍ଟି ମାମଲାର ତଦନ୍ତ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ ରିପୋର୍ଟ ଓ ଅନ୍ୟ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି କୋର୍ଟ ରାୟ ପ୍ରକାଶ କରିଥିଲେ। ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ୟାମସୁନ୍ଦର ମିଶ୍ର ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.