ପ୍ରବଳ ଖରା: ବଲାଙ୍ଗିରରେ ବଦଳିଲା ସକାଳୁଆ ସ୍କୁଲ ସମୟ

add-all

ବଲାଙ୍ଗିର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସ୍କୁଲ୍‌ଗୁଡ଼ିକୁ ସକାଳୁଆ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ସକାଳୁଆ ହେଉଛି। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ଚାଲୁଛି। ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ସକାଳୁଆ ହୋଇଛି।
ଅନ୍ୟପକ୍ଷରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାରେ ସକାଳୁଆ ସ୍କୁଲ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଜିଲ୍ଲାରେ ସ୍କୁଲଗୁଡ଼ିକୁ (ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ) ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ପ୍ରକାର ସ୍କୁଲ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
ବଲାଙ୍ଗିରରେ ବୁଧବାର (ଗତକାଲି) ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ସେହିପରି ମଙ୍ଗଳବାର ବଲାଙ୍ଗିରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ଜିଲ୍ଲାର ଅନ୍ୟତମ ପ୍ରମୁଖ ସହର ଟିଟିଲାଗଡ଼ରେ ମଙ୍ଗଳବାର ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଗତକାଲି ମଧ୍ୟ ୪୧.୫ ଡିଗ୍ରୀ ରହିଥିଲା।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବଲାଙ୍ଗିରରେ ଶୁକ୍ରବାର (ଆସନ୍ତାକାଲି) ଓ ଶନିବାର ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ ରାତିରେ ପ୍ରବଳ ଗୁଳୁଗୁଳି ହୋଇପାରେ। ସେହିପରି ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ।

ad-week
Leave A Reply

Your email address will not be published.